ଜୟପୁର, ୩୦ା୫(ନି.ପ୍ର.): କୋରାପୁଟ ଜିଲା ମିଲର୍ସ ସଂଘ ବୈଠକ ବୋରିଗୁମ୍ମାଠାରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନୂଆ ନିୟମ ଏମ୍ଏମ୍ଡିଏଫ୍କୁ କୋରାପୁଟ ଜିଲା ମିଲର୍ସ ମାଲିକ ସଂଘ ବିରୋଧ କରିଛି। ୨୦୨୦-୨୧ ଆର୍ଥତ୍କ ବର୍ଷର ବକେୟା ପ୍ରାପ୍ୟ ପ୍ରଶାସନ ଦେଇ ନ ଥିବାରୁ ବୈଠକରେ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ଖରିଫ ଧାନର ୬୦.୬୩% ଚାଉଳ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ନେଇଛି। ବଳକା ଚାଉଳ ମିଲରଙ୍କ ପାଖରେ ପଡିଛି। ଏହା ମିଲରଙ୍କ ପାଇଁ ବୋଝ। ପ୍ରଶାସନ ତୁରନ୍ତ ମିଲର୍ସଙ୍କ ସମସ୍ୟା ସମାଧାନ ନ କରି ମିଲରଙ୍କ ଉପର ଚାପ ପ୍ରୟୋଗ କରୁଛନ୍ତି। ଦାବି ନେଇ ମିଲରମାନେ ୩୧ରେ ଜିଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହେବେ। ପ୍ରଶାସନ ଦାବି ପୂରଣ ନ କଲେ ରବି ମଣ୍ଡିରେ କୋରାପୁଟ ଜିଲା ମିଲ ମାଲିକ ସଂଘ ଭାଗ ନେବେନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ମିଲ୍ ମାଲିକ ସଂଘ ସଭାପତି ପୂର୍ଣ୍ଣ ପଟ୍ଟନାୟକ, ଉପସଭାପତି ଜଗଦୀଶ ପାଣିଗ୍ରାହୀ ଓ ପି. ଦିଲୀପ କୁମାର, ତିରୁପତି ରାଓ, ସମ୍ପାଦକ ଦୀନେଶ ବିଷୋୟୀ, ଯୁଗ୍ମ ସମ୍ପାଦକ ସନ୍ତୋଷ ସାହୁ, ଉପଦେଷ୍ଟା ବି.ସି. ପଣ୍ଡା, ନରେନ୍ଦ୍ର ସ୍ବାଇଁଙ୍କ ସହ ୬୭ ମିଲ୍ ମାଲିକ ଉପସ୍ଥିତ ଥିଲେ।