ଦାବି ପୂରଣ ନ ହେଲେ ନୀତକାନ୍ତି କରିବେନି ସେବାୟତ

ଆନନ୍ଦପୁର,୨।୭(ସ୍ବ.ପ୍ର.)- ବିଭିନ୍ନ ସମସ୍ୟାକୁ ନେଇ ଆନନ୍ଦପୁର ଦଧିବାମନଜୀଉ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ସେମାନେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆନନ୍ଦପୁର ଉପଜିଲାପାଳ ତଥା ଦେବୋତ୍ତର ବିଭାଗର ଅଧିକାରୀଙ୍କ ନିକଟରେ ମଙ୍ଗଳବାର ଦାବି ଉପସ୍ଥାପନ କରିଛନ୍ତି। ଦାବିପୂରଣ ନ ହେଲେ ଆସନ୍ତା ଜୁଲାଇ ମାସ ୪ ତାରିଖ ମନ୍ଦିରର ସମସ୍ତ ରୀତିନୀତିରୁ ନିବୃତ୍ତ ରହିବେ ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ରଥଯାତ୍ରା ବୈଠକରେ ସେବାୟତମାନେ ଦରମା ବୃଦ୍ଧି ପାଇଁ ଦାବି ଉପସ୍ଥାପନ କରିଥିଲେ ହେଲେ ଅଦ୍ୟାବଧି ଏହାର କାର୍ଯ୍ୟକାରିତା ଦିଗରେ ଗୁରୁତ୍ୱ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହା ସହିତ ସେବାୟତମାନଙ୍କୁ ମିଳୁଥିବା ସ୍ବଳ୍ପ ବେତେନ ନିୟମିତ ନ ମିଳିବା ଏବଂ ବହୁ ବର୍ଷ ଧରି ବକେୟା ଅର୍ଥ ପଡ଼ି ରହିବା ଭଳି ଅଭିଯୋଗ ହୋଇଛି। ଚଳିତ ବର୍ଷ କରୋନା ମହାମାରୀ ପାଇଁ ଭକ୍ତମାନଙ୍କ ମନ୍ଦିର ପ୍ରବେଶ ନିଷେଧାଦେଶ ଯୋଗୁ ସେବାୟତମାନଙ୍କ ଦର୍ଶନ ବନ୍ଦ ହେବା, କରୋନା ପାଇଁ ରଥଯାତ୍ରା ଓ ବାହୁଡାଯାତ୍ରା ବନ୍ଦ ହୋଇଯିବାରୁ ଦର୍ଶନୀ ପାଉଣା ନ ମିଳିବାରୁ ସେବାୟତମାନେ ଅସହାୟ ଜୀବନ ଅତିବାହିତ କରୁଛନ୍ତି। ସେବାୟତମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ପୂର୍ବରୁ ଅବଗତ କରାଇଥିବା ସତ୍ତ୍ୱେ ଦାବି ପୂରଣ ନ ହେବା ଘଟଣାକୁ ବିରୋଧ କରି ସନ୍ତୋଷ କୁମାର ପାଢୀ, ଜଗବନ୍ଧୁ ଦାଶ, ଜଗତ କୁମାର ମିଶ୍ର, ଶରତ ଚନ୍ଦ୍ର ମିଶ୍ର, ଶଙ୍କର୍ଷଣ ମିଶ୍ର, ବିଶ୍ୱନାଥ ପାତ୍ର, ପଦ୍ମନାଭ ପାଣିଗ୍ରାହୀ, ଲକ୍ଷ୍ମଣ କୁମାର ପାଢୀଙ୍କ ସମେତ ସମସ୍ତ ସେବାୟତମାନେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ସ୍ଥାନୀୟ ଦେବୋତ୍ତର ବିଭାଗ ନିକଟରେ ଉପସ୍ଥାପନ କରିଛନ୍ତି। ସେବାୟତମାନଙ୍କର ସମସ୍ୟାକୁ ଦୂର କରା ନ ଗଲେ ଆସନ୍ତା ୪ତାରିଖଠାରୁ ସମସ୍ତ ସେବାୟତ ଶ୍ରୀ ଜୀଊଙ୍କ ସେବାରୁ ନିବୃତ୍ତ ରହିବେ ବୋଲି ଦାବି ଉପସ୍ଥାପନ କରିଛନ୍ତି।