Categories: ଗଞ୍ଜାମ

ଦାବି ପୂରଣ ନ ହେଲେ ଗଣଧାରଣା ଜାରି ରହିବ

ବେଗୁନିଆପଡ଼ା,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ସୋମବାର ବିକ୍ଷୋଭ ଓ ଗଣଧାରଣା ଦିଆଯାଇଛି। ଭାରତୀୟ ମଜଦୂର ସଂଘ ଡାକରାରେ ୭ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ନେଇ ବ୍ଲକ ଆଶାକର୍ମୀ ସଂଘ ସଭାନେତ୍ରୀ ବବିତା ରାଉତ କହିଛନ୍ତି। ବେଗୁନିଆପଡ଼ା ବ୍ଲକ ଓ କୋଦଳା ଏନ୍‌ଏସିର ୧୨୮ ଜଣ ଆଶାକର୍ମୀ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକତ୍ରିତ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଧାରଣା ଦେଇ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି। ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ମାସିକ ୧୮ ହଜାର ଟଙ୍କା ଦରମା, ପେନ୍‌ସନ୍‌ ୫ ହଜାର ଟଙ୍କା, ଅବସରକାଳୀନ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ୫ଲକ୍ଷ ଟଙ୍କା ସହାୟତା ଓ ସ୍ଥାୟୀ ନିଯୁକ୍ତି ଆଦି ଦାବି କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଦିଆଯିବ ବୋଲି ସଂଘ ସମ୍ପାଦିକା ବିଷ୍ଣୁପ୍ରିୟା ସାହୁ କହିଛନ୍ତି।