Categories: ଜାତୀୟ

ତଥ୍ୟପ୍ରମାଣ ସମାନ ଥିଲେ ଜଣଙ୍କୁ ଦୋଷୀ, ଅନ୍ୟଙ୍କୁ ଦୋଷମୁକ୍ତ କରାଯାଇପାରିବନି

ନୂଆଦିଲ୍ଲୀ,୧୫ା୯(ପି.ଟି.):ଏକ ଆପରାଧିକ ମାମଲାରେ ଅଭିଯୁକ୍ତମାନଙ୍କ ଭୂମିକା ନେଇ ସମାନ ତଥ୍ୟ ପ୍ରମାଣ ଥିଲେ, କୋର୍ଟ ଜଣକୁ ଦୋଷୀସାବ୍ୟସ୍ତ କରି ଅନ୍ୟ ଜଣକୁ ଦୋଷମୁକ୍ତ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଏକ ଡକାୟତି ଓ ହତ୍ୟା ମାମଲାରେ ଜଷ୍ଟିସ ଅଭୟ ଏସ୍‌. ଓକା ଏବଂ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠ ୧୦ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ପାଇଥିବା ୪ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେବା ଅବସରରେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଯେଉଁ ମାମଲାରେ ତଥ୍ୟ ପ୍ରମାଣ ସମାନ ସେଠାରେ ଉଭୟ ଅଭିଯୁକ୍ତଙ୍କୁ ‘ସମାନତା ସିଦ୍ଧାନ୍ତ’ ଦ୍ୱାରା ବିଚାର କରିବାକୁ ହେବ। ଅର୍ଥାତ୍‌ ଅଦାଲତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ବାଛବିଚାର କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗୁଜରାଟ ହାଇକୋର୍ଟର ୨୦୧୬ର ଏକ ରାୟକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଥିଲେ। ଡକାୟତି ଓ ହତ୍ୟା ମାମଲାରେ ହାଇକୋର୍ଟ କେତେଜଣ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ଅନ୍ୟମାନଙ୍କୁ ଦୋଷମୁକ୍ତ କରିଦେଇଥିଲେ। ଦୋଷୀସାବ୍ୟସ୍ତ ହୋଇଥିବା ଜଣେ ଅଭିଯୁକ୍ତ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୧୮ ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ ନିଯୁକ୍ତି ସୁପାରିସ

ଆଲ୍ଲାହାବାଦ ହାଇକୋର୍ଟର ୭ ଏବଂ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ୧୧ ଜଣ ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ ସଞ୍ଜୟ କିଷନ କୌଲ ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଗୁରୁବାର ସୁପାରିସ କରିଛିି। ଆଲ୍ଲାହାବାଦ ହାଇକୋର୍ଟର ଜଷ୍ଟିସ୍‌ ଉମେଶ ଚନ୍ଦ୍ର ଶର୍ମା, ରେଣୁ ଅଗ୍ରଓ୍ବାଲ, ରାମମନୋହର ନାରାୟଣ ମିଶ୍ରା, ମୟଙ୍କ କୁମାର ଜୈନ, ଶିବଶଙ୍କର ପ୍ରସାଦ, ଗଜେନ୍ଦ୍ର କୁମାର ଏବଂ ନଳିନ କୁମାର ଶ୍ରୀବାସ୍ତବଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ସୁପାରିସ କରାଯାଇଛି।

Share