ଚାଷୀ ହସିଲେ ଓଡ଼ିଶା ହସିବ

ସବ୍ୟସାଚୀ ଅମିତାଭ

 

ଓଡ଼ିଶାର ଶତକଡ଼ା ସତୁରି ଭାଗ ଲୋକଙ୍କ ମୁଖ୍ୟ ଜୀବିକା ହେଉଛି ଚାଷ। ତେଣୁ ଓଡ଼ିଶାର ଅର୍ଥନୀତି ମୁଖ୍ୟତଃ କୃଷି ଉତ୍ପାଦନ ଉପରେ ନିର୍ଭରଶୀଳ। କିନ୍ତୁ କୃଷିକୁ ଫୋକସ କଲେ ଅର୍ଥନୀତି ସୁଦୃଢ ହୋଇପାରିବ ସେ ମାନସିକତା ଦେଖିବାକୁ ମିଳୁନି।
ଓଡ଼ିଶାର ଭୌଗୋଳିକ ଆୟତନ ୧,୫୫,୭୧୧ ଲକ୍ଷ ହେକ୍ଟର ମଧ୍ୟରୁ ଚାଷ ଜମିର ପରିମାଣ ହେଉଛି ୬୪.୦୯ ଲକ୍ଷ ହେକ୍ଟର। ଏହି ଚାଷ ଜମିରୁ ୬୧.୫୦ ଲକ୍ଷ ହେକ୍ଟର ଜମିରେ ପ୍ରକୃତ ଚାଷ କରାଯାଏ। ଚାଷଜମିର କିସମକୁ ଯଦି ଆମେ ଦେଖିବା, ତେବେ ଜଣାପଡେ ମୋଟ ଚାଷଜମି ମଧ୍ୟରୁ ୪୦.୧୭ ଲକ୍ଷ ହେକ୍ଟର ଜମି ହେଉଛି ଅମ୍ଲମାଟି, ୪ ଲକ୍ଷ ହେକ୍ଟର ଜମି ହେଉଛି କ୍ଷାରୀୟ ମାଟି ଓ ୩ ଲକ୍ଷ ହେକ୍ଟର ଜମି ହେଉଛି ସନ୍ତସନ୍ତିଆ। ସେହିପରି ଆମ ରାଜ୍ୟର ହାରାହାରି ପରିବାର ପିଛା ଜମିର ପରିମାଣ ୧.୨୫ ହେକ୍ଟର। ଆମ ରାଜ୍ୟର ଚାଷୀ ଯେଉଁମାନେ କୃଷିକୁ ପ୍ରଧାନ ଜୀବିକା କରି ବଞ୍ଚନ୍ତି, ସେମାନଙ୍କ ମଧ୍ୟରୁ ୮୨ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ତଥା ନାମମାତ୍ର ଚାଷୀ। ସେମାନେ ମୋଟ ଚାଷ ଜମିର ୫୦ ପ୍ରତିଶତ ଜମି ଚାଷ କରିଥାନ୍ତି। ବାକି ୧୮ ପ୍ରତିଶତ ବଡ ଚାଷୀ ଅନ୍ୟ ୫୦ ପ୍ରତିଶତ ଜମି ଚାଷ କରନ୍ତି। ଏପରି ଚାଷଜମିର ଅସମବଣ୍ଟନ ଊଣା ଅଧିକେ ପ୍ରାୟ ସବୁ ଜିଲାରେ ଦେଖିବାକୁ ମିଳେ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ଆଧୁନିକ ପ୍ରଣାଳୀ ଅନୁସରଣ କରିବାକୁ ସକ୍ଷମ ନୁହନ୍ତି। ଅନ୍ୟପଟେ ଦିନକୁ ଦିନ ଚାଷଜମିର ପରିମାଣ କମିବାରେ ଲାଗିଛି। ୧୯୫୦-୫୧ର ଏକ ତଥ୍ୟ ଅନୁସାରେ, ସେତେବେଳେ ଓଡ଼ିଶାରେ ବ୍ୟକ୍ତି ପିଛା ଚାଷ ଜମିର ପରିମାଣ ୦.୩୯ ହେକ୍ଟର ଥିବାବେଳେ ଏବେ ଏହା ୦.୧୦ ପ୍ରତିଶତରୁ ବି କମ୍‌ ରହିଛି। କୃଷି ଉତ୍ପାଦନ ଆଶାନୁରୂପ ନ ହେବାର ଏହା ପ୍ରଥମ କାରଣ।
ଦ୍ବିତୀୟ କାରଣ ହେଉଛି- ପାରମ୍ପରିକ ବା ପୁରୁଣା ଶୈଳୀରେ କୃଷି କରାଯିବା। ପାରମ୍ପରିକ ଶୈଳୀରେ କୃଷି ବର୍ତ୍ତମାନ ସମୟରେ ଆଦୌ ଉପଯୋଗୀ ନୁହେଁ। ବିଜ୍ଞାନସମ୍ମତ ଚାଷ, ଟେକ୍ନୋଲୋଜିର ପ୍ରୟୋଗ, ଉନ୍ନତମାନର ବିହନ ରୋପଣ, ରାସାୟନିକ ସାର ତଥା ଉନ୍ନତ କୃଷି ଯନ୍ତ୍ରପାତି ଆଦିର ବ୍ୟବହାର ପ୍ରତି ସଚେତନ ଥିଲେ ହିଁ ଓଡ଼ିଶାର ଅଧିକାଂଶ ଚାଷୀ ସେମାନଙ୍କ ଆର୍ଥିକ ଅସ୍ବଚ୍ଛଳତା, ଜମିର ଭୌଗୋଳିକ ଅବସ୍ଥିତି, କିସମ, ପାଣିପାଗ, ଜଳବାୟୁ, ଜଳସେଚନର ଅବ୍ୟବସ୍ଥା ଓ ବିଶେଷ କରି ବଜାର ଚାହିଦାକୁ ଠିକ୍‌ ଭାବେ ବୁଝି ନ ପାରିବା କାରଣରୁ ନୂଆ କୃଷି ପଦ୍ଧତିକୁ ଆପଣାଇ ପାରୁନାହାନ୍ତିି। ତୃତୀୟ କାରଣ- ରାସାୟନିକ ସାରର ପ୍ରୟୋଗ। ଆମ ରାଜ୍ୟରେ ରାସାୟନିକ ସାରର ବ୍ୟବହାର ଅତ୍ୟନ୍ତ ନିରାଶାଜନକ କହିଲେ ଭୁଲ୍‌ ହେବନି। ତଥ୍ୟରୁ ଜଣାପଡିଛି, ରାଜ୍ୟରେ ରାସାୟନିକ ସାରର ବ୍ୟବହାର ବର୍ତ୍ତମାନ ହେକ୍ଟର ପିଛା ୯୮ କିଲୋଗ୍ରାମ ରହିଛି, ଯାହା ଜାତୀୟସ୍ତରଠାରୁ ଢେର୍‌ କମ୍‌। ସେହି ତୁଳନାରେ ଯଦି ଦେଖିବା ପଞ୍ଜାବରେ ହେକ୍ଟର ପିଛା ୨୫୦ କିଲୋଗ୍ରାମ, ବିହାରରେ ୨୧୨ କିଲୋଗ୍ରାମ, ହରିୟାଣାରେ ୨୦୭ କିଲୋଗ୍ରାମ, ଆନ୍ଧ୍ରପ୍ରଦେଶରେ ୧୯୦ କିଲୋଗ୍ରାମ, ପଶ୍ଚିମବଙ୍ଗରେ ୧୬୫ କିଲୋଗ୍ରାମ ସାର ବ୍ୟବହାର କରାଯାଇଥାଏ। ଚତୁର୍ଥ କାରଣ- ଧାନଚାଷରେ ଅନିୟମିତତା। ଆମ ରାଜ୍ୟରେ ଅଧିକ ଧାନ ଦରକାର ହେଉଥିବା ବେଳେ ଖରିଫ୍‌ ଋତୁରେ ମାତ୍ର ୬୭ ଭାଗ ଜମିରେ ଧାନ ଓ ୩୩ ଭାଗ ଜମିରେ ଅଣଧାନ ଫସଲ କରାଯାଉଛି। ଫଳରେ ଧାନ ଉତ୍ପାଦନ ମଧ୍ୟ ଆଶାଜନକ ଭାବେ ହୋଇପାରୁନି। ପଞ୍ଜାବରେ ହେକ୍ଟର ପିଛା ହାରାହାରି ୪୦ରୁ ୫୦ କୁଇଣ୍ଟାଲ ଧାନ ଅମଳ ହେଉଥିବା ବେଳେ ଆମ ରାଜ୍ୟରେ ହାରାହାରି ଅମଳ ହେକ୍ଟର ପିଛା ପ୍ରାୟ ୧୬ରୁ ୨୦ କୁଇଣ୍ଟାଲ ରହିଛି। ଅଧିକ ଅମଳକ୍ଷମ ବିହନ ବେଶି ଉତ୍ପାଦନର ଚାବିକାଠି ହୋଇଥିବାରୁ ଏହାକୁ ଜମିରେ ବୁଣିଲେ ଅଧିକ ୧୫ ଭାଗ ଅମଳ ବଢିଥାଏ ବୋଲି କୁହାଯାଏ। ତେଣୁ ରାସାୟନିକ ସାରର ବ୍ୟବହାର ବଢାଇବା ସହ ଜମିର ଉର୍ବରତା ତଥା ସ୍ଥାୟିତ୍ୱକୁ ରକ୍ଷା କରିବା ପାଇଁ ଅଧିକ ଜୈବସାର ଓ ଖତର ବ୍ୟବହାର ଦରକାର ହେଉଛି।
କୃଷି କ୍ଷେତ୍ରରେ ଯଥେଷ୍ଟ ପୁଞ୍ଜିି ବିନିଯୋଗର ଅଭାବ କୃଷି ଉତ୍ପାଦନ ଆଶାନୁରୂପ ନ ହେବାର ପଞ୍ଚମ କାରଣ । ଓଡ଼ିଶାର ଶ୍ରମିକ, ଭାଗଚାଷୀ, ଛୋଟ ଓ ନାମମାତ୍ର ଚାଷୀ ପ୍ରାୟତଃ ଗରିବ ଏବଂ ନିରକ୍ଷର ଅବା ସ୍ବଳ୍ପ ଶିକ୍ଷିତ । ଦାରିଦ୍ର୍ୟ କାରଣରୁ ସେମାନେ କୃଷି କ୍ଷେତ୍ରରେ ସ୍ବଳ୍ପ ମୂଳଧନ ମଧ୍ୟ ବିନିଯୋଗ କରିବାକୁ ସକ୍ଷମ ନୁହନ୍ତି। ଏପରି କି ନିରକ୍ଷରତା କାରଣରୁ କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନ ପ୍ରୟୋଗ କରିବାରେ ସେମାନେ ଅସମର୍ଥ। ମୌଖିକ ଚୁକ୍ତିରେ ଭାଗଚାଷ ହେଉଥିବା ଯୋଗୁଁ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଭାଗଚାଷୀମାନେ ଯଥେଷ୍ଟ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏପଟେ ଜାତୀୟକରଣ ବ୍ୟାଙ୍କ୍‌ ଅବା ସମବାୟ ସଂସ୍ଥାଗୁଡିକ ଭାଗଚାଷୀଙ୍କୁ ଋଣ ଦେବାକୁ ରାଜି ହେଉନାହାନ୍ତି। ଆମ ରାଜ୍ୟରେ ଏବେ ମୁଣ୍ଡପିଛା କୃଷି ଆୟ ପାଖାପାଖି ୪ ହଜାର ୯ ଶହ ଟଙ୍କା ରହିଛି। ଏତିକି କମ୍‌ ଟଙ୍କାରେ କୃଷି କାମ ସହ ପରିବାର ଚଳାଇବା ଚାଷୀଙ୍କ ପାଇଁ ଆଦୌ ସମ୍ଭବପର ନୁହେଁ। ତେଣୁ ଅଧିକାଂଶ ଭାଗଚାଷୀ ଓ କୃଷି ଶ୍ରମିକ ସହରକୁ ଯାଇ ଅଧିକ ଉପାର୍ଜନ କରିବାକୁ ଇଚ୍ଛା କରୁଛନ୍ତି। ଫଳରେ ଚାଷ ଜମି ପଡିଆ ପଡୁଛି।
ଉତ୍ପାଦନ ପ୍ରଭାବିତ ହେବାର ଷଷ୍ଠ କାରଣ- ମୌସୁମୀ ବର୍ଷ ଉପରେ ଓଡ଼ିଶାର ଚାଷ କାର୍ଯ୍ୟର ଅଧିକ ନିର୍ଭରଶୀଳତା। ରାଜ୍ୟରେ କୃଷି ପ୍ରାୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବାରୁ ବର୍ଷା ଅଭାବରୁ ଅନେକ ଅଞ୍ଚଳ ମରୁଡି ପ୍ରବଣ ହୋଇପଡୁଛି ଓ ଅନେକ ସମୟରେ ଅନାବୃଷ୍ଟି କାରଣରୁ କୃଷି ଉତ୍ପାଦନ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଚାଷୀମାନେ କୃଷି ପାଇଁ ବିନିଯୋଗ କରିଥିବା ଅର୍ଥ ମଧ୍ୟ ପାଇ ପାରୁନାହାନ୍ତି। ସପ୍ତମ କାରଣ- ଜଳସେଚନର ଅଭାବ। ଆମ ରାଜ୍ୟରେ ଜଳସମ୍ପପଦର ପର୍ଯ୍ୟାପ୍ତ ଉତ୍ସ ଥିଲେ ମଧ୍ୟ ସମୁଚିତ ପଦକ୍ଷେପ ଅଭାବ କାରଣରୁ ଓଡ଼ିଶାର ଚାଷୀ ପ୍ରତିବର୍ଷ ଜଳ ଅଭାବ ସମସ୍ୟା ସାମ୍‌ନା କରିଥାଏ। କୃଷିର ଉନ୍ନତି ପାଇଁ ବ୍ୟାପକ ଜଳସେଚନର ଆବଶ୍ୟକତା ରହିଛି। ଜାତୀୟସ୍ତରରେ ଜଳସେଚିତ ଜମିର ପରିମାଣ ଶତକଡା ୪୦ରୁ ୪୨ ପ୍ରତିଶତ ଥିବା ବେଳେ ଆମ ରାଜ୍ୟରେ ଏହାର ପରିମାଣ ଶତକଡା ୩୦ ଭାଗରୁ ଟିକେ ଅଧିକ। ତେଣୁ ରାଜ୍ୟରେ ଅଧିକରୁ ଅଧିକ ଜମିକୁ ଜଳସେଚିତ କରାଯାଇ ଚାଷୋପଯୋଗୀ କରିବା ପାଇଁ ସରକାର ଜରୁରୀ ପଦକ୍ଷେପ ହାତକୁ ନେବା ଦରକାର। ଦୁଃଖର କଥା, ଆମ ରାଜ୍ୟର ଅନେକ ଚାଷୀ ଜଳସେଚିତ ଜମିର ଠିକ୍‌ ଉପଯୋଗ କରିପାରନ୍ତି ନାହିଁ। ତେଣୁ ସେଚାଞ୍ଚଳର ସବୁ ଜମିରେ ଫସଲ କରିବା ପାଇଁ ଚାଷୀମାନଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି। ଅଷ୍ଟମ କାରଣ – ରାଜ୍ୟରେ କୃଷି ବିବିଧତାର ଅଭାବ। ଓଡ଼ିଶାର ମୁଖ୍ୟ ଉତ୍ପାଦନକାରୀ ଫସଲ ହେଉଛି ଧାନ। ସମଗ୍ର ଖାଦ୍ୟ ଶସ୍ୟ ଉତ୍ପାଦନର ୭୫ପ୍ରତିଶତ ଧାନରୁ ହିଁ ମିଳିଥାଏ। ଏଥିରୁ ସ୍ପଷ୍ଟ ହେଉଛି ଯେ ଆମ ରାଜ୍ୟର ଚାଷୀମାନେ ଗୋଟିଏ ଫସଲ ଉପରେ ଗୁରୁତ୍ୱ ଦେଉଛନ୍ତି। ଧାନ ପରିବର୍ତ୍ତେ ଅଣଧାନ ଫସଲ ଅବା ଧାନର ଠିକ୍‌ ଅମଳ ପରେ ଚାଷୀମାନେ ବିରି, କୋଳଥ, ମୁଗ ଚାଷ ସହ ଉଦ୍ୟାନ କୃଷି, ଫୁଲଚାଷ, ତୈଳବୀଜ, ଦୁଗ୍ଧଜାତ ଦ୍ରବ୍ୟ ଓ ମତ୍ସ୍ୟ ଚାଷ ଉପରେ ଗୁରୁତ୍ୱ ଦେବା ଦରକାର। ନବମ କାରଣ-ରାଜ୍ୟରେ କୃଷି ସଚେତନତାର ଅଭାବ। ରାଜ୍ୟର ଅଧିକାଂଶ ଚାଷୀ ନିରକ୍ଷର ଏବଂ ଉନ୍ନତ ଚାଷ କୌଶଳ ବାବଦରେ ଅଜ୍ଞ। ଏଥିପାଇଁ ସେମାନଙ୍କୁ ସଚେତନ କରିବା ଜରୁରୀ।
ସେହିପରି ଶେଷ କାରଣ ନ ହେଲେ ବି ଦଶମ କାରଣ- ଆବଶ୍ୟକ ପରିମାଣର ଗୋଦାମ ଗୃହ ବା ଶୀତଳଭଣ୍ଡାରର ଅଭାବ। କୃଷି ଉତ୍ପାଦନ ବୃଦ୍ଧି ପାଇଁ ପ୍ରତି ପଞ୍ଚାୟତରେ ଶସ୍ୟ ଗୋଦାମ ଅବା ଶୀତଳଭଣ୍ଡାର ପ୍ରତିଷ୍ଠା କରି ଉତ୍ପାଦିତ ଶସ୍ୟଗୁଡିକର ସଂରକ୍ଷଣ ଏବଂ କିଣାବିକାର ବ୍ୟବସ୍ଥା କରାଗଲେ ଚାଷୀମାନେ ଋତୁଭିତ୍ତିକ ଫସଲ ଓ ପନିପରିବା ପର୍ଯ୍ୟାପ୍ତ ପରିମାଣର ଉତ୍ପନ କରି ଅଧିକ ଲାଭ ପାଇପାରନ୍ତେ। କିନ୍ତୁ ଆମ ରାଜ୍ୟରେ ଏପରି ବ୍ୟବସ୍ଥାର ବିଶେଷ ଉନ୍ନତି ହୋଇପାରିନାହିଁ। ସରକାର ପିପିପି ମୋଡରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ସବସିଡ୍‌ ଯୋଗାଇ ଦେଉଥିଲେ ବି ଏଦିଗରେ ବିଶେଷ ଆଗ୍ରହ ପ୍ରକାଶ ପାଉନି।
କୃଷିକୁ ଲାଭଜନକ କରିବା ପାଇଁ କୃଷିନୀତି ଅଣାଯିବା ସହ କୃଷି ପାଇଁ ରାଜ୍ୟରେ ଅଲଗା କୃଷି ବଜେଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଚାଷୀଙ୍କୁ ବିଭିନ୍ନ ସୁବିଧାସୁଯୋଗ ସହ କୃଷି ଉତ୍ପାଦନ ବୃଦ୍ଧି ପାଇଁ ସରକାର ନିଜର ଅଙ୍ଗୀକାରବଦ୍ଧତା ଦେଖାଉଥିଲେ ବି ତୃଣମୂଳସ୍ତରରେ କିନ୍ତୁ ଚାଷୀଙ୍କୁ ଏହାର ଫାଇଦା ମିଳିପାରୁନି। ତେବେ ସମୟ ସହ ତାଳ ଦେଇ କୃଷି ବିବିଧତାକୁ ପ୍ରାଥମିକତା, ଉଦ୍ୟାନ କୃଷିକୁ ଅଗ୍ରାଧିକାର, ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କୁ ଋଣ, କୃଷି ସେକ୍ଟରରେ ପୁଞ୍ଜିିଲଗାଣ ବୃଦ୍ଧି, ଜଳସେଚନର ବ୍ୟାପକତା, କୃଷିଜାତ ସାମଗ୍ରୀ ପାଇଁ ସ୍ବତନ୍ତ୍ର ବଜାର, ଜଳଛାୟା ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ଚାଷ, କୃଷିଶିକ୍ଷାର ସଂପ୍ରସାରଣ କରାଯାଇପାରିଲେ ଚାଷୀମାନେ ଲାଭବାନ ହୋଇପାରନ୍ତେ। ଚାଷୀଙ୍କ ମୁହଁରେ ହସ ଖେଳିଲେ ଓଡ଼ିଶା ହସିବ।
ଭୁବନେଶ୍ବର, ମୋ-୯୪୩୮୨୯୬୫୧୯