ସମ୍ବଲପୁର,୧୦ା୬(ବ୍ୟୁରୋ): କୃଷକଙ୍କ ସୁବିଧା ପାଇଁ ସମ୍ପ୍ରତି ଚାଷ ପ୍ରଣାଳୀରେ ଅନେକ ପରିବର୍ତ୍ତନ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଶୀଘ୍ର ବୁଣିବା, ରୋଇବା ଓ ଅମଳ ଆଦି କାମ ହୋଇପାରୁଛି। ହେଲେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା କ୍ଷତିକାରକ ମଧ୍ୟ ହେଉଛି। ହାର୍ଭେଷ୍ଟର ଓ ମେଶିନରେ ଧାନ ଅମଳ କରିବା ପରେ ବିଲରେ ଥିବା ନଡାକୁ ଚାଷୀ ନିଅଁା ଲଗାଇ ଦେଉଛନ୍ତି। ଏହା ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ମୃତ୍ତିକା ଚାଷ ଅନୁପଯୋଗୀ ହୋଇଯାଉଛି। ଏହା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଅଗ୍ନିଶମ ବିଭାଗ, ପୋଲିସ, ରାଜସ୍ବ ବିଭାଗ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। କାରଣ ବିଲରେ ନିଅଁା ଲଗାଇବା ପରେ ତାହା ନିକଟସ୍ଥ ଗ୍ରାମ, ପନିପରିବା ଚାଷ ଏପରି କି ଘରକୁ ବ୍ୟାପିଥାଏ। ଏହାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଥାଏ। ଏହା ବିଶେଷକରି ଜଳସେଚନ ହେଉଥିବା ରବି ଫସଲ ଅମଳ ସମୟରେ ହୋଇଥାଏ। ଅନ୍ୟପଟେ ଅଣଜଳସେଚିତ ଅଞ୍ଚଳରେ ମଧ୍ୟ ବିଲକୁ ସଫା କରିବା ପାଇଁ ଚାଷୀମାନେ ନିଅଁା ଲଗାଇ ଦେଇଥାନ୍ତି। ସେହିପରି କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ମଧ୍ୟ ଜଙ୍ଗଲରେ ନିଅଁା ଲଗାଯାଇଥାଏ। ନିଅଁାର ଉତ୍ତାପ ଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସମ୍ବଲପୁର ଜିଲାରେ ଚଳିତ ଗ୍ରୀଷ୍ମରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ରହିଛି। ଜମିରେ ନିଆଁ ଲଗାଇବା ଏହାର ଏକ ମୁଖ୍ୟ କାରଣ ହୋଇପାରେ। ଚାଷ ପାଇଁ ଉପଯୁକ୍ତ ମାଟିର ଆବଶ୍ୟକତା ରହିଛି। ନିଅଁା ଲଗାଇବା ଫଳରେ ମାଟିର ଉର୍ବରତା, ଆଦର୍ରତା କମିଯାଉଛି। ଏହା ଦ୍ୱାରା ଫସଲ ଅମଳ କମିବ ବୋଲି ସମ୍ବଲପୁର ଚିପିଲିମାସ୍ଥିତ ଓୟୁଓଟି କୃଷି ବୈଜ୍ଞାନିକ (ମୃତ୍ତିକା) ଆସିଷ୍ଟାଣ୍ଟ ପ୍ରଫେସର ଈପ୍ସିତା ଦାସ କହିଛନ୍ତି।
ସେ ଆହୁରି କହିଛନ୍ତି, ବିଲରେ ନିଅଁା ଲଗାଇଲେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଆର୍ଦ୍ରତା କମିଥାଏ। ଫଳରେ ପରବର୍ତ୍ତୀ ଚାଷ ସମୟରେ ସମସ୍ୟା ହୋଇଥାଏ। କୌଣସି ଫସଲ ପାଇଁ ମାଟିର ଆଦର୍ରତା ରହିବା ଆବଶ୍ୟକ। ନିଆଁରେ ମୃତ୍ତିକା ପାଇଁ ଉପକାର କରୁଥିବା ଜୀବାଣୁ, ଜୀବଗୁଡିକ ମରିଯାନ୍ତି। ମାଟିରୁ ପ୍ରାକୃତିକ ଭାବେ ମିଳୁଥିବା ଅମ୍ଳଜାନ, ଜିଙ୍କ୍ ଓ ଅନ୍ୟ ଭିଟାମିନ ମଧ୍ୟ ନଷ୍ଟ ହୋଇଯାଉଛି। ଏଥିପାଇଁ ଫସଲରେ ଅଧିକ ରାସାୟନିକ ସାର ଦେବାକୁ ପଡିଥାଏ। ଜୈବିକ ପ୍ରଣାଳୀରେ ଚାଷ କରିବାକୁ ହେଲେ ନଡାକୁ ବିଲରେ ପ୍ରାକୃତିକ ଉପାୟରେ ନଷ୍ଟ କରିବାକୁ ହେବ। ବର୍ଷା ହେଲେ ଆପେ ଆପେ ନଡା ନଷ୍ଟ ହୋଇଯାଇଥାଏ। ମାଟିକୁ ଯତ୍ନ କରି ନ ରଖିଲେ ଆଗାମୀ ଦିନରେ ଚାଷୀ ସମାଜ ପାଇଁ ବିପତ୍ତି ହୋଇପାରେ। ଯନ୍ତ୍ରପାତି ବ୍ୟବହାର କରି ଚାଷ କରିବାରେ ସମସ୍ୟା ନାହିଁ। ହେଲେ ମାଟିକୁ ମଧ୍ୟ ଦୃଷ୍ଟିଦେବାକୁ ପଡିବ ବୋଲି ସେ କହିଥିଲେ। ଅନ୍ୟପଟେ ନିଅଁା ଲଗାଇବା ଏକ ଅପରାଧ। ଯେଉଁମାନେ ବିଲରେ ନିଅଁା ଲଗାଉଥିବେ ତଥ୍ୟ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପରିବେଶବିତ୍ ଦାବି କରିଛନ୍ତି। ଚାଷୀ ଅଶୋକ ପ୍ରଧାନ କହିଛନ୍ତି, ପୂର୍ବରୁ ଓଡ଼ିଶାରେ ଏଭଳି ହେଉ ନ ଥିଲା। ବାହାର ରାଜ୍ୟର ଚାଷୀମାନେ ଆସି ଏଭଳି କରୁଛନ୍ତି। ଏହା ପରିବେଶ, ଧନ, ଜୀବନ, ଚାଷ ପାଇଁ ବିପତ୍ତି। ତେଣୁ ଚାଷୀମାନେ ନିଅଁା ନ ଲଗାଇବାକୁ ସେ ଅନୁରୋଧ କରିଥିଲେ।