Categories: ଜାତୀୟ

ଅଦାଲତ ଅବମାନନା କରି ଘର ଭାଙ୍ଗିଲେ ନିର୍ମାଣ ନିର୍ଦ୍ଦେଶ ଦିଆଯିବ

ନୂଆଦିଲ୍ଲୀ,୫ା୧୦(ପି.ଟି.): ଅଦାଲତଙ୍କ ନିର୍ଦ୍ଦେଶର ଅବମାନନା କରି ଯଦି ଅଧିକାରୀ କାହାର ଘର ଭାଙ୍ଗନ୍ତି, ତେବେ ତାଙ୍କୁ ଉକ୍ତ ଘର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଅଦାଲତଙ୍କ ବିନା ଅନୁମତିରେ ଦେଶରେ କାହାର ଘର ଭଙ୍ଗାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସେପ୍ଟେମ୍ବର ୧୭ରେ ନିର୍ଦ୍ଦେଶ ଦେଇଥିଲେ। ଏହାର ଅବମାନନା କରାଯାଇ ଗୁଜରାଟ କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦ ନାଁରେ ଲୋକଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ଉକ୍ତ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିଶନ୍‌ର ଶୁଣାଣି କରି ଜଷ୍ଟିସ୍‌ ବି.ଆର୍‌. ଭଗାଇ ଏବଂ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଆବେଦନକାରୀ ସୁମାସ୍ତ ପଟନି ମୁସ୍‌ଲିମ୍‌ ଜମାତ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗ୍‌ଡେ କହିଥିଲେ, ଶୀର୍ଷ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗୁଜରାଟ କର୍ତ୍ତୃପକ୍ଷ ଘର ଭାଙ୍ଗିଛନ୍ତି। ଅନ୍ୟପକ୍ଷରେ ଗୁଜରାଟ ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ରହି କହିଥିଲେ, ଉକ୍ତ ନିର୍ମାଣ ସମୁଦ୍ର ସୀମାରେ ଏବଂ ସୋମନାଥ ମନ୍ଦିରଠାରୁ ୩୪୦ ମିଟର ଦୂରରେ ଥିଲା। ତେଣୁ ଏହା ଅଦାଲତଙ୍କ ନିର୍ଦ୍ଦେଶନାମା ପରିସରରେ ଆସୁ ନ ଥିବା ସଲିସିଟର ଜେନେରାଲ କହିଥିଲେ। କାରଣ ଉକ୍ତ ନିର୍ଦ୍ଦେଶ ସର୍ବସାଧାରଣ ସ୍ଥାନରେ ବେଆଇନ ନିର୍ମାଣ ପାଇଁ ଲାଗୁ ହେବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଥିଲେ, ଯଦି ଗୁଜରାଟ କର୍ତ୍ତୃପକ୍ଷ ଅଦାଲତ ଅବମାନନା କରିଥିବା ଜଣାପଡ଼େ ତେବେ ତାଙ୍କୁ କେବଳ ଜେଲ ପଠାଯିବ ନାହିଁ, ଘର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯିବ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬କୁ ଧାର୍ଯ୍ୟ କରାଯାଇଛି।

Share