ପ୍ରଥମ ଡୋଜ୍‌ ପରେ ପଜିଟିଭ ଆସିଲେ ଦ୍ୱିତୀୟ ଡୋଜ୍‌ ନେବେନି

ଭୁବନେଶ୍ୱର, ୧୪।୧(ବ୍ୟୁରୋ) :ଓଡ଼ିଶାରେ ଶନିବାରଠାରୁ ୧୬୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହେବ। ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କୁ ଟିକା ଦିଆଯିବ। କମ୍‌ ହିତାଧିକାରୀ ଥିଲେ ୨/୩ କେନ୍ଦ୍ରକୁ ମିଶାଇ ଗୋଟିଏ କେନ୍ଦ୍ରରେ ଟିକା ଦିଆଯିବ। ଦୈନିକ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକାକରଣ ହେବ। ଏ ସମ୍ପର୍କରେ ଏସ୍‌ସିବି ଭେଷଜ ବିଭାଗ ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଡା. ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।
ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଡା. ପଣ୍ଡା କହିଛନ୍ତି ଯେ, ଯାହାକୁ ଯେଉଁ ଦିନ ଡକାଯାଇଥିବ, ସେ ସେହିଦିନ ହିଁ ଟିକା ନେଇପାରିବେ। ନିର୍ଦ୍ଦିଷ୍ଟ ଦିନ ଟିକା ନେବାକୁ ନ ଆସିଲେ ଜିଲା ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରିବେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ହିଁ ଅନ୍ୟଦିନରେ ତାଙ୍କୁ ଟିକା ଦିଆଯିବ। ହିତାଧିକାରୀ ନିଜର ନିର୍ଦ୍ଦିଷ୍ଟ ଫଟୋ ପରିଚୟ ପତ୍ର ହଜାଇ ଦେଇଥିଲେ ଟିକାକରଣ ପଞ୍ଜୀକରଣ ଦିନ ଦେଇଥିବା ତଥ୍ୟ ସମ୍ବଳିତ ପ୍ରମାଣପତ୍ର ନେଇ ଟିକା କେନ୍ଦ୍ରକୁ ଯିବେ। ସେଠାରେ ଥିବା ଅଧିକାରୀଙ୍କ ଅନୁସାରେ ଟିକା ଦିଆଯିବ କି ନାହିଁ ତାହା ନିର୍ଦ୍ଧାରଣ ହେବ। ଯେଉଁମାନେ ଟିକା ପାଇଁ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ଯଥାଶୀଘ୍ର ଏହା କରିନେବା ଉଚିତ। ଟିକା ସମ୍ପର୍କିତ ସୂଚନା ପାଇଁ ହେଲ୍ପଲାଇନ ନମ୍ବର ୧୦୪ ସହିତ ଯୋଗାଯୋଗ କରିପାରିବେ। କରୋନା ଟିକା ସମ୍ପୂର୍ଣ୍ଣ ନିରାପଦ। ଟିକାରେ କୌଣସି ପାଶର୍‌ବ ପ୍ରତିକ୍ରିୟା ନାହିଁ। ଯଦି ଟିକା ନେବା ପରେ କେହି ସାମାନ୍ୟ କିଛି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିପାରିବେ। ଆବଶ୍ୟକ କରୁଥିବା ଟିକାଗ୍ରହଣକାରୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ସେହିଭଳି କରୋନା ଟିକାର ପ୍ରଥମ ଡୋଜ୍‌ ନେବା ପରେ ପଜିଟିଭ ଆସିଲେ, ଦ୍ୱିତୀୟ ଡୋଜ୍‌ ନେବେ ନାହିଁ। ସୁସ୍ଥ ହେବା ଯାଏ ଅପେକ୍ଷା କରିବାକୁ ପଡ଼ିବ। ବିଭିନ୍ନ ଜିଲାର ଭାକ୍‌ସିନ ଷ୍ଟୋରକୁ ଟିକା ପଠାଯିବା ପ୍ରକ୍ରିୟା ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୪୦,୮୦୦ ଭାଇଲ୍‌ସ ବା ଛୋଟ ଶିଶି ଆସିଛି। ଗୋଟିଏ ଶିଶିରେ ୫ ମିଲିଗ୍ରାମ ଅର୍ଥାତ୍‌ ୧୦ ଜଣଙ୍କୁ ସିଙ୍ଗଲ୍‌ ଡୋଜ୍‌ ଦିଆଯାଇପାରିବ। ପର୍ଯ୍ୟାୟକ୍ରମେ ୩ ଲକ୍ଷ ୨୮ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଟିକାକରଣ ସମୟରେ ବୟସ୍କ ସ୍ବାସ୍ଥ୍ୟକର୍ମୀ, ହାଇରିସ୍କ ଗ୍ରୁପ୍‌ ଓ କରୋନା ପ୍ରଭାବ ଅଧିକ ଥିବା ଅଞ୍ଚଳର ସ୍ବାସ୍ଥ୍ୟକର୍ମୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ଡା. ପଣ୍ଡା ସୂଚନା ଦେଇଛନ୍ତି।

Share