ସମସ୍ୟା ତୁଟିଲେ ୫ ହଜାର ହେକ୍ଟରରେ ଫସଲ ହେବ

କେନ୍ଦ୍ରାପଡ଼ା ଅଫିସ, ୧୪ା୨:ଶିଳ୍ପବିହୀନ କେନ୍ଦ୍ରାପଡ଼ାର ଅର୍ଥନୀତି କୃଷିଭିତ୍ତିକ। ଏହାସତ୍ତ୍ୱେ ରାଜ୍ୟ ସରକାର ଜଳସେଚନ ପରି ମୁଖ୍ୟ ସମସ୍ୟାକୁ ଦୂରକରୁନାହାନ୍ତି। ପୂର୍ବରୁ ବ୍ରାହ୍ମଣୀ ଓ ଗୋବରୀ ମଧ୍ୟରେ ଥିବା ସଂଯୋଗ ଜଳପଥ ଏବେ ବନ୍ଦ ହୋଇପଡ଼ିଛି। ଫଳରେ ଜଳସେଚନ ଅବ୍ୟବସ୍ଥାରୁ ୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମିରେ ୩ ଫସଲ ଉପତ୍ାଦନ ହୋଇପାରୁନାହିଁ। ଏ ନେଇ ସ୍ଥାନୀୟ ଲୋକ ୨ ବର୍ଷ ହେବ ଉଦ୍‌ବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ଉପରେ ମାମଲା କରିଛନ୍ତି। ମାମଲା ଶୁଣାଣି ହୋଇ ବିଭାଗକୁ ଅନୁଧ୍ୟାନ ସହ ସମସ୍ୟାର ନିରାକରଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ୱେ ଜଳ ସମ୍ପଦ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ମାମଲାର ଅଭିଯୋଗକାରୀ ପଟ୍ଟାମୁଣ୍ଡାଇ ତାଲୁକ୍‌ ଆଇନ ସେବା ସମିତି ପିଏଲ୍‌ଭି ପ୍ରଫୁଲ୍ଲ କୁମାର ଦାସ, କ୍ଷୀରୋଦ ମଲ୍ଲିକ, ଅଶୋକ ବଳ, ଦେବାଶିଷ ପଣ୍ଡା ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ବ୍ରାହ୍ମଣୀ ସହ ଗୋବରୀ ନଦୀର ସଂଯୋଗୀକରଣ ଥିଲା। ଏଥିରେ ନୌବାଣିଜ୍ୟ ସହିତ ଚାଷ ପାଇଁ ପାଣି ମିଳୁଥିଲା। ତେବେ ୬୦ ବର୍ଷ ପୂର୍ବରୁ କଟକ-ଚାନ୍ଦବାଲି ରାସ୍ତା ନିର୍ମାଣ ସମୟରେ ପଟ୍ଟାମୁଣ୍ଡାଇଠାରେ ଏହାର ସଂଯୋଗୀକରଣ ପଥକୁ ବନ୍ଦ କରିଦିଆଗଲା। ଫଳରେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ୨୦ କି.ମି. ଗୋବରୀ ନଦୀପଥ ଶୁଖିଲା ପଡିଛି। ଏହି ନଦୀ ଶଯ୍ୟା ପୋତିହେବା ଫଳରେ ନିକଟବର୍ତ୍ତୀ ଗ୍ରାମବାସୀ ନିତ୍ୟକର୍ମଠାରୁ ଜଳସେଚନରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଅର୍ଥକରୀ ଫସଲ ଉପତ୍ନ୍ନ ହେଉଥିବା ବେଳେ ଏଠାରେ ଏବେ ମରୁଡ଼ି ସମସ୍ୟା ଦେଖାଦେଇଛି। ଏ ନେଇ ସ୍ଥାନୀୟ ଅଧିବାସୀ ବ୍ଲକ ଓ ଜିଲାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଏଥିରୁ ସୁଫଳ ନ ମିଳିବାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ବ୍ରାହ୍ମଣୀ ସହିତ ଗୋବରୀ ନଦୀର ସଂଯୋଗୀକରଣ ପାଇଁ ନାଲସା (ଜାତୀୟ ଆଇନ ସେବା ପ୍ରଧିକରଣ)ରେ ୨୦୨୧ ଫେବୃୟାରୀ ୧୪ରେ ଏକ ମାମଲା ହୋଇଥିଲା। ଏହି ମାମଲାକୁ କେନ୍ଦ୍ରାପଡ଼ା ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ) ପକ୍ଷରୁ ଶୁଣାଣି କରାଯାଇ ଭିତ୍ତିଭୂମିର ତଦନ୍ତ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ହୋଇଛି। ତେବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅଦ୍ୟାବଧି କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ନଦୀ ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ବିତ ହେଲେ ନଦୀପଥ ନିକଟ କ୍ଷେତରେ ୩ ପ୍ରକାର ଅର୍ଥକରୀ ଫସଲ ଉପତ୍ାଦନ ହୋଇପାରିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଏନେଇ ପ୍ରାରମ୍ଭିକ ତଦନ୍ତ ହୋଇଛି। ନଦୀ ସଂଯୋଗୀକରଣ ହେଲେ ସ୍ଥାନୀୟ ଅଞ୍ଚଳର କୃଷି ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିବ। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।