ରୁଷିଆ ଆକ୍ରମଣ ବନ୍ଦ ନ ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ…

କ୍ୱିଭ୍‌,୨୧।୩ : ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି। ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ବିବୃତ୍ତିି ଦେଇଛନ୍ତି। ଜେଲେନସ୍କି କହିଛନ୍ତି ଯେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଯଦି ଆଲୋଚନା ବିଫଳ ହୁଏ, ଏହାର ଅର୍ଥ ହେଉଛି ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ ହେବ।

ୟୁକ୍ରେନ ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଏହାପୂର୍ବରୁ ଜେଲେନସ୍କି ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବା ପାଇଁ ସିଧାସଳଖ ଆଲୋଚନା କରିବାକୁ ଅପିଲ୍‌ କରିଥିଲେ। ରୁଷିଆ ସୈନ୍ୟ ୟୁକ୍ରେନ୍‌ର ମାରିଅପୋଲ ସହରରେ ଲଗାତାର ଆକ୍ରମଣ ଜାରି ରଖିଛି।

ମାରିଓପୋଲ ହେଉଛି ଆଜୋଭ ସାଗର ନିକଟରେ ୟୁକ୍ରେନର ଏକ ବନ୍ଦର ସହର। ଏହାକୁ ଚତୁର୍ଦ୍ଦିଗରୁ ରୁଷିଆର ସୈନିକମାନେ ଘେରି ରହିଛନ୍ତି। ଏହି ସହର ଏବେ ୟୁକ୍ରେନ୍‌ରୁ ବିଚ୍ଛିନ୍ନ ହୋଇଛି। ଏଠାରେ କିଛି ଲୋକ ବୋମାମାଡ଼ରୁ ରକ୍ଷା ପାଇବା ପାଇଁ ବଙ୍କରରେ ଲୁଚି ରହିଛନ୍ତି।

ମାରିଆପୋଲରୁ କ୍ୱିଭ୍‌, ଖାର୍କିଭ ଏବଂ ଡୋନେଟସ୍କରୁ ଲୁହାନସ୍କ ପର୍ଯ୍ୟନ୍ତ ଅଞ୍ଚଳରେ ରୁଷିଆର ସେନା ବୋମା ମାଡ଼ କରୁଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଏବଂ ୟୁକ୍ରେନର ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ଚିତ୍ରଗୁଡ଼ିକରେ ମଧ୍ୟ ସେଠାରେ ଥିବା ଲୋକଙ୍କ ଦୁଃଖଦ ଅବସ୍ଥା ସମ୍ପର୍କରେ ଭଲ ଭାବେ ଜାଣି ହେଉଛି।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଅନୁଯାୟୀ, ମାରିଆପୋଲରେ ରୁଷିଆ ଯୁଦ୍ଧ ଅପରାଧ କରୁଛି। ସେଠାରେ ଥିବା ଲୋକଙ୍କ ପ୍ରତି ଅନ୍ୟାୟ କରାଯାଉଛି। ଜେଲେନସ୍କି କହିଛନ୍ତି ଯେ ରୁଷିଆର ଏହି ଅତ୍ୟାଚାରକୁ ବିଶ୍ୱ ସର୍ବଦା ମନେ ରଖିବ।

Share