ଶିକ୍ଷାନୁଷ୍ଠାନର ୨ଶହ ମିଟର ଭିତରେ ଗୁଟ୍‌ଖା, ସିଗାରେଟ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଜୁନାଗଡ଼,୨୨।୧: କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ୨ଶହ ମିଟର ପରିସରରେ ଖୋଲା ହୋଇଥିବା ଦୋକାନରେ ଶୁକ୍ରବାର ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ଦୋକାନୀଙ୍କଠାରୁ ଫାଇନ ଆଦାୟ କରିବା ସହ ଗୁଟ୍‌ଖା, ତମାଖୁ, ବିଡି, ସିଗାରେଟ, ଖଇନୀ ଆଦି ନିଶା ଦ୍ରବ୍ୟ ଜବତ କରିଥିଲେ। ଏପରି କି ଦୋକାନୀମାନଙ୍କୁ ସ୍କୁଲ ପରିସର ମଧ୍ୟରେ ନିଶା ଦ୍ରବ୍ୟ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଚଢାଉରେ ଜୁନାଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ଧର୍ମଗଡ଼ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଲଲିତ ମୋହନ ମିଶ୍ର, ଜୁନାଗଡ ଅବକାରୀ ଉପ ନିରୀକ୍ଷକ ହିରାବତୀ ଥାଟି, ଖାଦୀ ନିରୀକ୍ଷକ ତପସ୍ବିନୀ ବେହେରା ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପକ୍ଷେ ପୋଲିସ ପକ୍ଷରୁ ସଚେତନ ନ କରି ଛୋଟ ଦୋକାନୀଙ୍କ ଉପରେ ଅତିର୍କିତ ଚଢାଉ କରିବା ଗରୀବଙ୍କୁ ଲାତ ମାରିବା ସଦୃଶ୍ୟ। ଆଗାମୀ ଦିନରେ ଏ ବିଷୟରେ ସଚେତନ ନ କରି ଚଢାଉ କରାଗଲେ ସହରର ସମସ୍ତ ଦୋକାନ ବଜାର ବନ୍ଦ କରାଯିବ ବୋଲି ଜୁନାଗଡ଼ ବଣିକ ସଂଘର ସଭାପତି ମୁକେଶ ଅଗ୍ରୱାଲ ପ୍ରକାଶ କରିଛନ୍ତି।