Categories: ଜାତୀୟ

ଚିନ୍ତାଧାରା ସଚ୍ଚୋଟ ହେଲେ କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରହିବ…

ନୂଆଦିଲ୍ଲୀ,୧୧।୧୨: ଭାଜପା ସରକାର କେବଳ ଶିଳାନ୍ୟାସ କରେ ନାହିଁ। ପ୍ରତିଟି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ବଳରାମପୁରରେ ସରଯୁ କେନାଲ ପ୍ରକଳ୍ପର ଲୋକାର୍ପଣ କରି ଏଭଳି କହିଛନ୍ତି। ୯୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି କେନାଲ ପରିଯୋଜନା ଦ୍ୱାରା ୯ ଟି ଜିଲ୍ଲାର ୨୯ ଲକ୍ଷ ଚାଷୀ ଉପକୃତ ହେବେ। ଏହି ପ୍ରକଳ୍ପ ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ନଦୀ ସଂଯୋଗ ଅଭିଯାନର ସ୍ବପ୍ନ ପୂରଣ ହୋଇପାରିଛି। ଚିନ୍ତାଧାରା ସଚ୍ଚୋଟ ହେଲେ କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ବିପିନ ରାଓ୍ବତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ମୃତ୍ୟୁ ଦେଶ ପାଇଁ ଏକ ବଡ କ୍ଷତି ବୋଲି ସେ କହିଛନ୍ତି। ପ୍ରତ୍ୟେକ ଦେଶବାସୀ ତାଙ୍କ ମୃତ୍ୟୁରେ ଦୁଃଖିତ। ମୁଁ ଦେଶର ଏପରି ସାହସୀ ଯୋଦ୍ଧାଙ୍କୁ ପ୍ରଣାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହା ସହିତ ସେ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୧୯୭୨ ମସିହାରେ ସରଯୁ କେନାଲ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ମାତ୍ର ସେବେଠାରୁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ସେ ସମୟର କଂଗ୍ରେସ, ଏସପି କିମ୍ବା ବିଏସପି ସରକାର କେହି ଏନେଇ ଆଗ୍ରହ ପ୍ରକାଶ କରି ନଥିଲେ। ଫଳସ୍ବରୂପ, ୪୦ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଅଧା ମଧ୍ୟ ଶେଷ ହୋଇ ନ ଥିଲା। କିନ୍ତୁ କେନ୍ଦ୍ର ତଥା ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପ ଶେଷ ହୋଇପାରିଛି।

 

Share