ମାଆଙ୍କ ପାଇଁ କାମ ମାଗୁଛନ୍ତି ଇଶା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ନାମି ନାୟିକା ହେମାମାଳିନି କିଛି ଦଶକ ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ନିକଟତର ହୋଇଥିଲେ। କେବଳ ଅଭିନୟ ନୁହେଁ ରାଜନୀତିରେ ବି ହେମା ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ଫିଲ୍ମି କ୍ୟାରିୟରରେ ହେମା ଶୋଲେ, ସୀତା ଔର ଗୀତା ଭଳି କିଛି ଆଇକନିକ ମୁଭି ଭେଟିଦେଇଛନ୍ତି ଦର୍ଶକଙ୍କୁ। ଶେଷଥର ପାଇଁ ତାଙ୍କୁ ୨୦୨୦ରେ ମୁଭି ‘ଶିମଲା ମିର୍ଚ୍ଚ’ରେ ଦେଖିବାକୁ ମିଳିଥିଲା। ଏବେ ପୁଣିଥରେ ବଡ ପରଦାକୁ ଫେରିବାକୁ ଚାହୁଁଛନ୍ତି ଡ୍ରିମଗର୍ଲ। ଏକଥା ହେମା ନୁହେଁ ତାଙ୍କ ଝିଅ ଇଶା ଏକ ସାକ୍ଷାତକାରରେ କହିଛନ୍ତି। ହେଲେ ସେ କହିଛନ୍ତି ତାଙ୍କ ମାଆ ଏବେ ଭଲ ରୋଲ ଓ ସ୍କ୍ରିପ୍ଟ ଅପେକ୍ଷାରେ ଅଛନ୍ତି।
ନିକଟରେ ଏକ ଇଣ୍ଟରଭ୍ୟୁରେ ଇଶା ତାଙ୍କ ମାଆଙ୍କ ବଡ ପରଦା ଲେଉଟାଣିକୁ ନେଇ କଥା ହୋଇଥିଲେ। ସେ କହିଥିଲେ ମୁଁ ମୋ ମାଆଙ୍କୁ ପୁଣିଥରେ ବଡ ପରଦାରେ ଅଭିନୟ କରିବାକୁ କହୁଛି। ହେଲେ ପୂର୍ବରୁ ସେ ଏହାକୁ ଗୁରୁତ୍ୱ ଦେଉ ନ ଥିବା ବେଳେ ଏବେ କିନ୍ତୁ ସେ ପୁଣିଥରେ ବଡ ପରଦାକୁ କମବ୍ୟାକ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ଏବେ ସେ ଭଲ କାହାଣୀ ଓ ଭଲ ଚରିତ୍ର ଖୋଜୁଛନ୍ତି। ତେଣୁ ଯଦି କାହା ନିକଟରେ ଏମିତି କିଛି ରହିଛି ତେବେ ସେ ମୋ ମାଆଙ୍କୁ କଲ କରିବେ ବୋଲି ଇଶା କହିଛନ୍ତି। ଯଦି ଡ୍ରିମଗର୍ଲ କମବ୍ୟାକ କରନ୍ତି ତେବେ ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ ସରପ୍ରାଇଜ ହେବ।

Share