ମାମଲା ନ ଥିଲେ ଅଧିକାରୀ ହୋଇପାରିବେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଓଏସ୍‌ଡି

ଭୁବନେଶ୍ୱର,୮ା୧୦(ଅନିଲ ଦାସ): ଯେଉଁ ଅଧିକାରୀମାନଙ୍କୁ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ କିମ୍ବା ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯିବ, ସେମାନଙ୍କ ନାଁରେ କୌଣସି ପ୍ରକାର ଶୃଙ୍ଖଳାଗତ ମାମଲା, ଭିଜିଲାନ୍ସ କିମ୍ବା ଫୌଜଦାରୀ ମାମଲା ନ ଥିବା ଆବଶ୍ୟକ।

ସେମାନଙ୍କ ସିସିଆର/ପିଏଆରରେ କୌଣସି ପ୍ରକାର ନକାରାତ୍ମକ ମନ୍ତବ୍ୟ ନ ଥିବା ଜରୁରୀ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ ଅନୁଯାୟୀ, ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ପାହ୍ୟା ଅଫିସରମାନେ ମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ସଚିବ ହୋଇପାରିବେ। ଯୁଗ୍ମ ସଚିବ କିମ୍ବା ଅନୁସଚିବ ପାହ୍ୟା ଅଫିସରମାନେ ମନ୍ତ୍ରୀମାନଙ୍କର ଓଏସ୍‌ଡି ନିଯୁକ୍ତ ହୋଇପାରିବେ। ବ୍ୟକ୍ତିଗତ ସଚିବଙ୍କଠାରୁ ଓଏସ୍‌ଡି ଗୋଟିଏ ପାହ୍ୟା ଜୁନିୟର ହୋଇଥିବା ଆବଶ୍ୟକ। ଯଦି ଜଣେ ପୂର୍ବରୁ ପ୍ରାଇଭେଟ ସେକ୍ରେଟାରୀ କିମ୍ବା ଓଏସ୍‌ଡି ଥିବେ, ତାଙ୍କୁ ନୂଆ କରି ସେହି ପଦବୀଗୁଡ଼ିକରେ ନିଯୁକ୍ତି ଦେବାକୁ ହେଲେ ଅତିକମ୍‌ରେ ୫ ବର୍ଷ ବ୍ୟବଧାନ ରଖାଯିବା ଦରକାର। ଏହି ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମ୍ପୃକ୍ତ ବିଭାଗଗୁଡ଼ିକୁୁ କୁହାଯାଇଛି।

Share