Categories: ଜାତୀୟ

୩ ରାଜ୍ୟରେ ପରାଜୟ ମାନେ ଆମେ ୨୦୨୪ରେ ସଫଳ ହେବୁ ନାହିଁ, ୨୦ ବର୍ଷ ତଳର ଉଦାହରଣ ଦେଇ ବୁଝାଇଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୪।୧୨ : ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳରେ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସ ୨୦ ବର୍ଷ ତଳର ପୂର୍ବେ ସମାନ ପରିସ୍ଥିତିକୁ ମନେ ପକାଇ ଉଭୟ ଘଟଣାରେ ଐତିହାସିକ ସମାନତା ଖୋଜିବାକୁ ଚେଷ୍ଟା କରିଛି। ଏହି ଅବସରରେ କଂଗ୍ରେସର ମହାସଚିବ ଜୟରାମ ରମେଶ ମନେ ପକାଇ ଦେଇଛନ୍ତି ୨୦ ବର୍ଷ ତଳେ ମଧ୍ୟ କଂଗ୍ରେସ ତିନୋଟି ରାଜ୍ୟରେ ନିର୍ବାଚନରେ ହାରିଥିଲା ଏବଂ କେବଳ ଦିଲ୍ଲୀରେ ଜିତିଥିଲା। ଏହା ସତ୍ତ୍ୱେ ୨୦୦୪ ଲୋକସଭା ନିର୍ବାଚନରେ ଦଳ ପ୍ରତ୍ୟାବର୍ତ୍ତନ କରିଥିଲା। ରମେଶ କହିଛନ୍ତି ଆଶା ଓ ନିଷ୍ଠା ସହିତ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି।

ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) କୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ନିଜର ଶକ୍ତି ଏବଂ ପ୍ରସ୍ତୁତି ପ୍ରଦର୍ଶନ କରିଛି। ଏହି ପୂରା ଘଟଣା ଉପରେ ଜୟରାମ ରମେଶ ଟୁଇଟ କରି କହିଛନ୍ତି, ଠିକ ୨୦ ବର୍ଷ ପୂର୍ବେ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ସେତେବେଳେ ଆମେ କେବଳ ଦିଲ୍ଲୀରେ ଜିତିଥିଲୁ । ମାତ୍ର କିଛି ମାସ ମଧ୍ୟରେ କଂଗ୍ରେସ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଲୋକସଭା ନିର୍ବାଚନରେ ସର୍ବ ବୃହତ ଦଳ ଭାବରେ ଉଭା ହୋଇ କେନ୍ଦ୍ରରେ ସରକାର ଗଠନ କରିଥିଲା।

ରମେଶ କହିଛନ୍ତି ଆଶା, ବିଶ୍ୱାସ, ଧୈର୍ଯ୍ୟ ଏବଂ ନିଷ୍ଠା ସହିତ ଭାରତୀୟ ଜାତୀୟ କଂଗ୍ରେସ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବ।
ସୂଚନାଯୋଗ୍ୟ, ଭାଜପା ଯେଉଁ ରାଜ୍ୟଗୁଡିକରେ କ୍ଷମତାରେ ଅଛି ସେଠାରେ ସମୁଦାୟ ୫୪୩ ଲୋକସଭା ଆସନର ପ୍ରାୟ ଅଧା ରହିଛି।

Share