Categories: ଜାତୀୟ

ଜିତିଲେ ଜହ୍ନ ମାମୁଁ ଦେଶ ନେବି ବୁଲାଇ: ପ୍ରତିଶ୍ରୁତି ଦେଲେ ନିର୍ଦଳୀୟ ପ୍ରାର୍ଥୀ

ଚେନ୍ନାଇ,୨୫।୩: ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀମାନେ ବହୁ ପ୍ରତିଶ୍ରୁତି ଦେଇଥାନ୍ତି। ବହୁ ସମୟରେ ଏସବୁ ପ୍ରତିଶ୍ରୁତି ପାଣିର ଗାର ଭଳି ପ୍ରବଞ୍ଚନାରେ ପରିଣତ ହୋଇଥାଏ। ବିଚରା ଭୋଟର କେବଳ ନିଜର ଅଧିକାର ସାବସ୍ତ୍ୟ କରି ଚାଲିଥାନ୍ତି। ତାମିଲନାଡୁରେ ମଦୁରାଇ ବିଧାନସଭା ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ନିର୍ଦଳୀୟ ପ୍ରାର୍ଥୀ ଥୁଲମ୍‌ ସରବନନ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଆଲା ଉଦ୍ଦିନ୍‌ର କୁହୁକ ଦୀପ ଭଳି ପ୍ରତିଶ୍ରୁତି ଦେଇଛନ୍ତି। ନିଜ ପାଖରେ ଆବଶ୍ୟକ ଟଙ୍କା ନ ଥିବାରୁ ୨୦ ହଜାର ଟଙ୍କା ଉଧାର ନେଇ ସେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ମାତ୍ର ଜିତିଲେ ଭୋଟରଙ୍କୁ ଗୋଟିଏ ହେଲିକପ୍ଟର, ଏକ କୋଟି  ଟଙ୍କା, ବିବାହରେ ସୁନା ଅଳଙ୍କାର, ୩ ମହଲା ଘର ଦେବାକୁ କହିଛନ୍ତି। ଏହା ସହିତ ସମସ୍ତଙ୍କୁ ଜହ୍ନ ମାମୁଁ ଦେଶ ବୁଲାଇ ନେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳକୁ ଖରାଦିନେ ଶୀତଳ ରଖିବା ପାଇଁ ୩୦୦ ଫୁଟର ବରଫ ପାହାଡ଼ ନିର୍ମାଣ, ଗୃହିଣୀଙ୍କୁ ଘର କାମରୁ ମୁକ୍ତି ପାଇଁ ରୋବୋଟ ଯୋଗାଇ ଦେବାକୁ କହିଛନ୍ତି। ଏବେ ଥୁଲମ୍‌ଙ୍କ ନିର୍ବାଚନୀ ପ୍ରତିଶ୍ରୁତି ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।

Share