Categories: ଜାତୀୟ

ହାତ ନ ଭାଙ୍ଗି ପାରୁଛ ଯଦି ଗୋଡ଼ ଭାଙ୍ଗିଦିଅ, ଜାମିନ କରାଇଦେବି, ବିଧାୟକଙ୍କ ଧମକ…

ମୁମ୍ବାଇ, ୧୬।୮ : ଉଦ୍ଧବ ଠାକରେଙ୍କ ଶିବସେନାରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଥିବା ବିଧାୟକ ପ୍ରକାଶ ସୁର୍ଭେ ତାଙ୍କ ସମର୍ଥକଙ୍କୁ ଶିବ ସୈନିକଙ୍କ ଉପରେ ଆକ୍ରମଣ କରିବାକୁ କହିଛନ୍ତି। ଏକ ଭାଇରାଲ ଭିଡିଓରେ ସେ କହୁଥିବାର ଦେଖିବାକୁ ମିଳୁଛି ଯେ ଆମେ ତାଙ୍କୁ ତାଙ୍କ ସ୍ଥାନ ନ ଦେଖାଇବା ପର୍ଯ୍ୟନ୍ତ ବିଶ୍ରାମ କରିବା ଉଚିତ ନୁହେଁ । ହାତ ନ ଭାଙ୍ଗି ପାରୁଛ ଯଦି ଗୋଡ଼ ଭାଙ୍ଗିଦିଅ। ତାପର ଦିନ ଜାମିନ ମୁଁ କରାଇଦେବି। ଚିନ୍ତା କର ନାହିଁ ବୋଲି ସେ କହୁଥିବାର ଦେଖାଯାଉଛି।

ମହାରାଷ୍ଟ୍ର ରାଜନୀତିରେ ସଙ୍କଟ ସୃଷ୍ଟି କରିଥିବା ଏକନାଥ ଶିନ୍ଦେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ କଡ଼ା ଆଘାତ ଦେଇ ଶିବ ସୈନିକଙ୍କୁ ତାଙ୍କଠାରୁ ଅଲଗା କରିବା ସହିତ ମୁଖ୍ୟମନ୍ତ୍ରୀ ପଦବୀ ଛଡ଼ାଇ ନେଇଛନ୍ତି। ୩୯ ଶିବସେନା ବିଧାୟକ ଶିନ୍ଦେଙ୍କ ସହିତ ଅଛନ୍ତି। ଯଦିଓ ଏହି ଘଟଣାର ଏକ ମାସ ବିତିଗଲାଣି, କିନ୍ତୁ ହିଂସା ଏବଂ ରକ୍ତପାତ ଘଟଣା ଏହି ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ସାମ୍ନାକୁ ଆସୁଛି। ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହି ଏହି ବିବାଦ ଜାରି ରହିଛି।

ଶିନ୍ଦେ ଦଳର ବିଧାୟକ ପ୍ରକାଶ ସୁର୍ଭେ ଉଦ୍ଧବ ଶିବିରକୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ମଗଥାନୋରୁ ଦୁଇଥର ବିଧାୟକ ହୋଇଥିବା ପ୍ରକାଶ ସୁର୍ଭେ ଏକ ଫେସବୁକ ଭିଡିଓରେ ତାଙ୍କ ସମର୍ଥକଙ୍କୁ କହିଛନ୍ତି ଯେ ଆମେ ସେମାନଙ୍କୁ ସେମାନଙ୍କ ସ୍ଥାନ ଦେଖାଇବା ପର୍ଯ୍ୟନ୍ତ ବିଶ୍ରାମ କରିବା ଉଚିତ ନୁହେଁ। କାହାର ଦାଦାଗିରି ଗାଳିଗୁଲଜକୁ ସହ୍ୟ କରନ୍ତୁ ନାହିଁ। ଯଦି କେହି ଆପଣଙ୍କୁ ଚ୍ୟାଲେଞ୍ଜ କରନ୍ତି ତେବେ ତାଙ୍କୁ ଚ୍ୟାଲେଞ୍ଜ କରନ୍ତୁ।  ତାଙ୍କୁ ଦୁଇ ଖଣ୍ଡ କରି ଦିଅ।

ସୁର୍ଭେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶିବସେନା ମୁମ୍ବାଇ ପୋଲିସ ନିକଟରେ ପହଞ୍ଚିଛି। ଦହିସର ପୋଲିସ ଷ୍ଟେଶନରେ ଅଭିଯୋଗ ଦାଖଲ କରିଥିବା ପୂର୍ବତନ ଶିବସେନା କର୍ପୋରେଟର ଉଦେଶ ପାଟେକର କହିଛନ୍ତି ଯେ ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶ୍ୱାସ ରହୁନାହିଁ। ତେବେ ଏହି ପ୍ରସଙ୍ଗରେ ମତାମତ ପାଇଁ ସୁର୍ଭେଙ୍କ ସହ ଯୋଗାଯୋଗ କରାଯାଇପାରି ନଥିବା କୁହାଯାଉଛି।

Share