Categories: ମେଟ୍ରୋ

କମ୍ପ୍ରୋମାଇଜ୍‌ ନ କଲେ କାମ ମିଳେନି: ରାଣୀ ପ୍ରିୟଦର୍ଶିନୀ

ଭୁବନେଶ୍ୱର, ୧୫।୬(ସତ୍ୟଜିତ୍‌ ରାଉତ) ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌କୁ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ପ୍ରତିଦିନ ଜଣେ ପରେ ଜଣେ ଅଭିନେତ୍ରୀ କାଷ୍ଟିଂ କାଉଚ୍‌କୁ ନେଇ ମୁହଁ ଖୋଲୁଛନ୍ତି। ବୁଧବାର ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଏ ପ୍ରସଙ୍ଗରେ ବହୁ କଥା କହିଛନ୍ତି। ଏପରିକି କମ୍ପ୍ରୋମାଇଜ୍‌ ନ କଲେ ନବାଗତା ଅଭିନେତ୍ରୀମାନଙ୍କୁ କାମ ମିଳେ ନାହିଁ। ଉଲିଉଡ୍‌ରେ କାଷ୍ଟିଂ କାଉଚ୍‌ ହେଉଛି। ମୁଁ ମଧ୍ୟ କାଷ୍ଟିଂ କାଉଚ୍‌ର ଶିକାର ହୋଇଛି। ଏଠି ଝିଅମାନଙ୍କୁ ଏକ୍ସପୋଜ୍‌ କରାଯାଉଛି। ନବାଗତା ଅଭିନେତ୍ରୀମାନଙ୍କୁ ହିରୋଇନ୍‌ କରାଇଦେବା ପାଇଁ ବର୍ଷ ବର୍ଷ ଧରି ୟୁଜ୍‌ କରାଯାଉଛି। ପ୍ରଥମେ ପାଖରେ ରଖି କମ୍ପ୍ରୋମାଇଜ୍‌ କରନ୍ତି ଓ ପରେ ସେମାନଙ୍କୁ କାମ ଦିଅନ୍ତି। ବିନା କାଷ୍ଟିଂ କାଉଚ୍‌ ଓ କମ୍ପ୍ରୋମାଇଜ୍‌ରେ କୌଣସି ପ୍ରଯୋଜକ-ନିର୍ଦ୍ଦେଶକ କାମ ଦିଅନ୍ତି ନାହିଁ। ଯିଏ ବି କାଷ୍ଟିଂ କାଉଚ୍‌ କରିଛି ବରବାଦ ହୋଇ ଘରେ ବସିଛି। କିନ୍ତୁ ବିନା କମ୍ପ୍ରୋମାଇଜ୍‌ରେ କାମ କରିଥିବା ଅଭିନେତ୍ରୀ ଆଜି ଆଗଧାଡ଼ିରେ ରହି ସୁପରହିଟ୍‌ ବୋଲି ରାଣୀ କହିଛନ୍ତି। ମଙ୍ଗଳବାର ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ମଧ୍ୟ ମୁହଁ ଖୋଲି କହିଥିଲେ, ପ୍ରଯୋଜନା ସଂସ୍ଥାର କଥାରେ ରାଜି ନ ହେବାରୁ ତାଙ୍କୁ ସିରିଏଲ୍‌ରେ ସୁଯୋଗ ଦିଆଯାଇ ନ ଥିଲା। ତେବେ ଏଭଳି ଏକାଧିକ ଅଭିଯୋଗ ପରେ ଓଲିଉଡ୍‌ ଜଗତକୁ ନେଇ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହେଉଛି। ସୂଚନାଯୋଗ୍ୟ, ଫିଲ୍ମରେ କାମ ଦେବାକୁ କହି ପ୍ରଯୋଜକ ସଞ୍ଜୟ ନାୟକ ନବାଗତାଙ୍କୁ ଶୋଷଣ କରିଥିବା ନେଇ ପ୍ରକୃତି ମିଶ୍ର କିଛିଦିନ ତଳେ ଗଣମାଧ୍ୟମରେ ଅଭିଯୋଗ କରିଥିଲେ। ଏହାପରେ କୋର୍ଟରେ ମାନହାନି ମାମଲା କରିବେ ବୋଲି ସଞ୍ଜୟ ଚେତାବନୀ ଦେଇଥିଲେ। ପରେ ପ୍ରକୃତି ଶନିବାର ମୁମ୍ବାଇ ୱେଷ୍ଟ ଅନ୍ଧେରୀସ୍ଥିତ ଦାଦାଭାଇ ନାରୋଜି ନଗର ଥାନାରେ ସଞ୍ଜୟଙ୍କ ବିରୋଧରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିଛି। ତେବେ ଏହାପରଠାରୁ କାଷ୍ଟିଂ କାଉଚ୍‌କୁ ନେଇ ଓଲିଉଡ୍‌ ଜଗତରେ ଝଡ଼ ସୃଷ୍ଟି ହୋଇଛି।

Share