ଟିକା ନ ନେଲେ କଟିପାରେ ଦରମା

ଭୁବନେଶ୍ୱର, ୬।୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଚାଲିଛି। ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଟିକା ଦିଆଯାଉଛି। ତେବେ ଅଧିକାଂଶ କୋଓ୍ବିନ୍‌ ଆପ୍‌ରେ ପଞ୍ଜୀକରଣ କରି ଆସୁ ନ ଥିବାରୁ ଟିକାଦାନ ହାର ବଢ଼ୁନି। କଟକ ସମେତ କେତେକ ଜିଲାରେ ଏହି ହାର ବହୁତ କମ୍‌ ରହିଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଟିକା ନ ନେଲେ ଦରମା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ଭାବନୀ ଶଙ୍କର ଚୟନୀ ସିଏମ୍‌ସି କମିଶନର, ଏସ୍‌ସିବି ଅଧୀକ୍ଷକ ଓ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି। ତେବେ ଏଯାଏ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶ ହୋଇ ନ ଥିଲେ ମଧ୍ୟ ପ୍ରତି ଜିଲା ପ୍ରଶାସନ ଏପରି ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଛି। ଆଗକୁ ଅନ୍ୟସବୁ ଜିଲାରେ ମଧ୍ୟ ଏପରି ଦରମାବନ୍ଦର ପଦକ୍ଷେପ ନିଆଯିବା ସମ୍ଭାବନା ରହିଥିବା ସୂଚନା ମିଳିଛି।
ଏପଟେ ଶନିବାରଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। ୩ସପ୍ତାହ ଧରି ଏହି ଟିକାକରଣ ଚାଲିବ। ଏଥିପାଇଁ ତାଲିକା ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୋଲିସ ଡିଜି, ଏସ୍‌ପି, ଜିଲାପାଳ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଟିକା ନେବେ। ଏହାଛଡ଼ା ଗୃହ, ନଗର ଉନ୍ନୟନ ଓ ରାଜସ୍ବ ବିଭାଗର ଅଧିକାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଟିକା ନେବା ପରେ ସେମାନେ ଫଟୋ ସହିତ ଟୁଇଟ୍‌ କରିବେ। ଏହି ଟିକା ସୁରକ୍ଷିତ ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ସେମାନେ ଜଣାଇବେ। ଫଳରେ ଅନ୍ୟମାନଙ୍କ ମଧ୍ୟରେ ସଚେତନତା ଏବଂ ଆତ୍ମବିଶ୍ୱାସ ସୃଷ୍ଟି ହେବ।
ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଶୁକ୍ରବାର ଟିକା ନେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକା ନେବାପରେ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, କରୋନା ଟିକା ସମ୍ପୂର୍ଣ୍ଣ ନିରାପଦ। ନିଜ ପାଳି ଆସିଲେ ଆଗେଇ ଆସି କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନିଅନ୍ତୁ ଓ କରୋନା ଠାରୁ ଦୂରେଇ ରୁହନ୍ତୁ ବୋଲି ସେ ନିବେଦନ କରିଛନ୍ତି।

Share