ମାସ୍କ୍‌ ନ ପିନ୍ଧିଲେ ୫୦୦, ଦୂରେଇ ନ ରହିଲେ ୩୦୦୦ ଦେବାକୁ ପଡ଼ିବ ଜରିମାନା

ଶ୍ରୀନଗର, ୨୧।୭: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଲୋକେ କରୋନା ସଂକ୍ରମଣ ଲାଗି ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ କରୁ ନ ଥିବାରୁ ଜରିମାନା ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏନେଇ ଉପ ରାଜ୍ୟପାଳ ଜି.ସି.ମୁର୍ମୁ ସମସ୍ତ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଜାରି କରିଛନ୍ତି। ମାସ୍କ୍‌ ନ ପିନ୍ଧିଥିବା ଅମାନିଆଙ୍କ ପାଇଁ ୫୦୦ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି। ସେହିପରି ବସ୍‌ରେ ସାମାଜିକ ଦୂରତା ଅବଲମ୍ବନ ନ କରାଗଲେ ମାଲିକଙ୍କୁ ୩୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ। ରାସ୍ତାରେ ଛେପ ପକାଇଲେ ୫୦୦ଟଙ୍କା, କ୍ୱାରାଣ୍ଟାଇନ୍‌ରେ ନିୟମ ପାଳନ ନ କଲେ ୨୦୦୦ ଟଙ୍କା ଏବଂ ଦୋକାନରେ ଲୋକେ ସାମାଜିକ ଦୂରତା ନ ମାନିଲେ ସମ୍ପୃକ୍ତ ଦୋକାନୀଙ୍କୁ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଆଇପିସି ଧାରା ୧୮୮ ଅନ୍ତର୍ଗତ ଏହି ନିୟମ ଲାଗୁ କରାଯାଇଛି। ଏହାଦ୍ୱାରା ଲୋକେ ସଚେତନ ହୋଇପାରିବେ ବୋଲି କୁହାଯାଉଛି।

Share