Categories: ଜାତୀୟ

ଆମ ସହ ମୁହାଁମୁହିଁ ହେଲେ ତୁମ ପିଲା ଅନାଥ ହୋଇଯିବେ: ଅନନ୍ତନାଗ ଏନକାଉଣ୍ଟର ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧୭।୯ : କଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶତ୍ରୁ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ଅନନ୍ତନାଗରେ ସାମରିକ ଅପରେକ୍ଶନ ଉପରେ ଏକ ପୋଷ୍ଟ ରିଟୁଇଟ କରି ସେ ଲେଖିଛନ୍ତି ଭାରତର ବହୁ ଶତ୍ରୁ ଅଛନ୍ତି। ସେମାନେ ଆମକୁ ରୋକିବାକୁ ଚାହୁଁଛନ୍ତି। ତେବେ ସେମାନଙ୍କୁ ଜ୍ଞାତ ହେବା ଆବଶ୍ୟକ ଭାରତୀୟ ସେନା ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। କୌଣସି ଭୁଲ କରନ୍ତୁ ନାହିଁ। ସେମାନଙ୍କ ସହ ଜଡିତ ନ ହେବା ବୁଦ୍ଧିମାନର କାର୍ଯ୍ୟ ହେବ। ଏହା ହେଉଛି ନୂଆ ଭାରତ। ଭାରତ ଭୟଭୀତ ହେବ ନାହିଁ କିମ୍ବା ପଛକୁ ଫେରିବ ନାହିଁ।

ସେହି ସମାନ ପୋଷ୍ଟରେ ସେ ଆହୁରି ଲେଖିଛନ୍ତି, ଭାରତ ଯୁଦ୍ଧ ଦେଖିଛି ଏବଂ ଆମେ ଯୁଦ୍ଧ ଚାହୁଁ ନାହୁଁ। କିନ୍ତୁ ଯଦି ଆପଣ ଭାରତ ସହିତ ଯୁଦ୍ଧ କରନ୍ତି, ତେବେ ଆପଣଙ୍କର ପିଲାମାନେ ଅନାଥ ହୋଇଯିବେ ଏବଂ ଅନ୍ୟ କେହି ସେମାନଙ୍କୁ ଲାଳନପାଳନ କରିବେ।

ସୂଚନାଯୋଗ୍ୟ, କଶ୍ମୀରର ଅନନ୍ତନାଗ ଜିଲାର କୋକରନାଗରେ ଗତ ୫ ଦିନ ଧରି ଭାରତୀୟ ସେନାର ସର୍ଚ୍ଚଅପରେଶନ ଜାରି ରହିଛି। ଏଠାରେ ଜଙ୍ଗଲ ପାହାଡରେ ସେନା ଆତଙ୍କବାଦୀଙ୍କୁ ଘେରି ରହିଛି। ସୂତ୍ରରୁ ପ୍ରକାଶ ଏହି ଆକ୍ରମଣରେ ରକେଟ ଲଞ୍ଚର୍‌ ଏବଂ ଅନ୍ୟାନ୍ୟ ଭାରୀ ଅସ୍ତ୍ର ବ୍ୟବହାର କରାଯାଇଛି। ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଦୁଇ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି। ସେମାନଙ୍କୁ ଏନକାଉଣ୍ଟର କରିବା ପାଇଁ ଅପରେଶନ କ୍ରମାଗତ ପଞ୍ଚମ ଦିନ ରବିବାର (୧୭ ସେପ୍ଟେମ୍ବର) ଜାରି ରହିଛି।

ଏହି ସପ୍ତାହରେ ମଙ୍ଗଳବାର ଅନନ୍ତନାଗରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଠୋସ ସୂଚନା ପାଇବା ପରେ ସେନା ସେମାନଙ୍କୁ ଘେରି ରହି ଅପରେଶନ ଆରମ୍ଭ କରିଥିଲା। ବୁଧବାର (୧୪ ସେପ୍ଟେମ୍ବର)ରେ ୧୯ଟି ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧୋନଚକ ଏବଂ କାଶ୍ମୀର ପୋଲିସର ଡିଏସପି ହୁମାୟୁନ ମୁଜାମିଲ ଭଟ ସହିଦ ହୋଇଥିଲେ। ଶୁକ୍ରବାର (ସେପ୍ଟେମ୍ବର ୧୬) ଅପରେଶନ ସମୟରେ ଆଉ ଜଣେ ଯବାନ ସହିଦ ହୋଇଥିଲେ। ତେବେ ପୋଲିସ ଏପର୍ଯ୍ୟନ୍ତ ଯବାନଙ୍କ ବିଷୟରେ କୌଣସି ସୂଚନା ଦେଇନାହିଁ।

ଭାରତରେ ଜି -୨୦ ର ସଫଳତା ପରେ ପାକିସ୍ତାନ ସେନାର ନିର୍ଦ୍ଦେଶରେ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା କରାଯାଇଥିଲା। ଗୁପ୍ତଚର ତଥ୍ୟ ଆଧାରରେ ଏଠାରେ ଭାରତୀୟ ସେନା ମଧ୍ୟ ସତର୍କ ରହିଥିଲା।

Share