‘ଘରେ ସାପ ପାଳିଲେ ଦଂଶନର ଶିକାର ହେବ’

ୱାଶିଂଟନ ,୧୬ା୧୨: ଆତଙ୍କବାଦ ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପୁଣି ଥରେ ପାକିସ୍ତାନକୁ ନିନ୍ଦା କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଗ୍ଲୋବାଲ କାଉଣ୍ଟର ଟେରରିଜିମ୍‌ ଆପ୍ରୋଚ, ଚ୍ୟାଲେଞ୍ଜ ଆଣ୍ଡ୍‌ ଓ୍ବେ ଫରଓ୍ବାର୍ଡର ଅଧ୍ୟକ୍ଷତା କରୁଥିବାବେଳେ ଜୟଶଙ୍କର ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି, ଆତଙ୍କବାଦର ସମସାମୟିକ କେନ୍ଦ୍ର ଏବେ ମଧ୍ୟ ସକ୍ରିୟ ଅଛି। ଅର୍ଥାତ୍‌ ପାକିସ୍ତାନ ହେଉଛି ଆତଙ୍କବାଦର ‘କେନ୍ଦ୍ର’।

ଗତ ୨୪ ଘଣ୍ଟା ମଧ୍ୟରେ ଜୟଶଙ୍କର ଦୁଇଥର ପାକିସ୍ତାନକୁ ନିନ୍ଦା କରିଛନ୍ତି। ଗୁରୁବାର ସେ ପାକିସ୍ତାନକୁ ହିଲାରୀ କ୍ଲିଣ୍ଟନଙ୍କ ବିବୃତ୍ତି ବିଷୟରେ ମଧ୍ୟ ମନେ ପକାଇଥିଲେ। ହିଲାରୀ କହିଥିଲେ, ଯେଉଁମାନେ ସାପ ନିଜ ଘରେ ରଖନ୍ତି ସେମାନଙ୍କୁ ସାପ ଦଂଶନ କରେ। ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହୀନା ରବାନୀଙ୍କ ମନ୍ତବ୍ୟ ପରେ ଏସ୍‌ ଜୟଶଙ୍କର ଏହା କହିଥିଲେ।

ଜୟଶଙ୍କର କହିଛନ୍ତି, ‘ହିଲାରୀ ଅକ୍ଟୋବର ୨୦୧୧ରେ ପାକିସ୍ତାନ ଯାଇଥିଲେ। ଏହା ପରେ ହିଲାରୀ ସେତେବେଳେ ହୀନା ରବାନୀଙ୍କୁ କହିଥିଲେ, ଯଦି ତୁମେ ସାପକୁ ନିଜ ଘର ପଛରେ ରଖ, ତେବେ ତୁମେ କେବଳ ପଡ଼ୋଶୀକୁ କାମୁଡ଼ିବା ଆଶା କରିପାରିବ ନାହିଁ। ତାହା ତୁମକୁ ମଧ୍ୟ କାମୁଡ଼ିବ। ଏମିତିରେ ବି ଆପଣମାନେ ଜାଣନ୍ତି ସୁ-ପରାମର୍ଶ ନେବାରେ ପାକିସ୍ତାନ ମାହିର ନୁହେଁ। ତେଣୁ ଅପେକ୍ଷା କର ଆଗକୁ କ’ଣ ଘଟୁଛି।

Share