ନୂଆଦିଲ୍ଲୀ,୧୭।୮ : ଆମ କୌଣସି ଖେଳାଳିଙ୍କୁ ସ୍ଲେଜିଂ କଲେ ଅନ୍ୟ ୧୦ ଖେଳାଳିମାନେ ପ୍ରତିପକ୍ଷକୁ ଛାଡ଼ିବେ ନାହିଁ। ଇଂଲଣ୍ଡ ବିପକ୍ଷ ଲଡର୍ସ ଟେଷ୍ଟରେ ଏହା ହିଁ ଘଟିଥିଲା ବୋଲି କହିଛନ୍ତି ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ।
ମ୍ୟାଚ୍ର ପ୍ରଥମ ଇନିଂସରେ ଜିମ୍ମି ଆଣ୍ଡରସନଙ୍କୁ ଲଗାତାର ବାଉନ୍ସର ଓ ଶର୍ଟ ପିଚ୍ ବଲ ପକାଇଥିଲେ ଯଶପ୍ରୀତ ବୁମରା। ଏହାର ପ୍ରତିଶୋଧ ନେବାକୁ ଯାଇ ବୁମରାଙ୍କ ମୁଣ୍ଡକୁ ଟାର୍ଗେଟ କରି ଘରୋଇ ପେସର ମାର୍କ ଉଡ୍ ଏବଂ ଓଲି ରବିନସନ ଲଗାତାର ବାଉନ୍ସର ମାରିଥିଲେ। ଫଳରେ ବୁମରା ଏବଂ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଓ ଆଣ୍ଡରସନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିନ୍ତୁ ଅନ୍ତିମ ଦିନ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ି ନ ଥିଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି।
ଏହା ଦର୍ଶାଉଛି, ଏହି ମ୍ୟାଚ୍ ଜିତିବା ଲାଗି ଦୁଇ ଦଳ କେତେ ଦୂରକୁ ଚାଲି ଯାଇଥିଲେ। ଏହିଭଳି ହିଁ ଟେଷ୍ଟ କ୍ରିକେଟ ଖେଳାଯାଏ। ଆମେ ଏକ ଦଳ ଭାବେ କାହାକୁ କିଛି କହିବାକୁ ଡରୁ ନାହିଁ। ଯଦି କିଏ ଆମ ଦଳର ଜଣେ ଖେଳାଳିଙ୍କ ପଛରେ ଲାଗେ, ଅନ୍ୟ ୧୦ ଜଣ ଛିଡ଼ା ହୋଇଯିବେ। ଆମ ଦଳୀୟ ଖେଳାଳିଙ୍କ ମଧ୍ୟରେ ବଣ୍ଡିଂ ସେହିଭଳି ଅଛି ବୋଲି ମ୍ୟାଚ୍ରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ରାହୁଲ କହିଛନ୍ତି।