ଅଧିକ ସାଉଣ୍ଡ କଲେ ମିଳିବ ଦଣ୍ଡ

ଭୁବନେଶ୍ୱର,(ବ୍ୟୁରୋ): ଆଉ ମନଇଚ୍ଛା ଶବ୍ଦ କରି ଶୋଭାଯାତ୍ରା କରିପାରିବେ ନାହିଁ। ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ମ୍ୟୁଜିକ୍‌ ସିଷ୍ଟମ୍‌ ଓ ଡିଜେ ଉପରେ ଲାଗିବ କଟକଣା। ୬୫ ଡେସିବଲ୍‌ରୁ ଅଧିକ ଶଦ୍ଦ ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାକୁ କଡ଼ାକଡ଼ି ପାଳନ କରିବାକୁ ଜିଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଥାନାର ବିନାନୁମତିରେ କୌଣସି ବ୍ୟକ୍ତି ଉଚ୍ଚ ସ୍ବରରେ ମାଇକ କିମ୍ବା ଡିଜେ ବଜାଇ ପାରିବେନାହିଁ।
ଗତ ମାସ ୧୯ ତାରିଖରେ ଅନୁଷ୍ଠିତ ପରିବେଶ ତଦାରଖ ସେଲ୍‌ ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶବ୍ଦ ପ୍ରଦୂଷଣକୁ ରୋକିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମେମ୍ବର ସେକ୍ରେଟାରୀ କେ. ମୁରୁଗେସେନ ଜିଲାପାଳ ଓ ଏସ୍‌ପିଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ନେଇ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବିବାହ ପ୍ରୋସେସନ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାଧାରଣ ବୈଠକଗୁଡ଼ିକରେ ଅତ୍ୟଧିକ ମାତ୍ରାରେ ଶବ୍ଦ ପ୍ରଦୂଷଣ ହେଉଛି। ଏଥିଯୋଗୁ ଦିନକୁ ଦିନ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏପରି କି ଅତ୍ୟଧିକ ଶବ୍ଦ ବୟସ୍କ ବ୍ୟକ୍ତି, ରୋଗୀ ଓ ଶିଶୁମାନଙ୍କ ଉପରେ ଗଭୀର ପ୍ରଭାବ ପକାଉଛି। ଶବ୍ଦ ପ୍ରଦୂଷଣ ରୋକିବାକୁ ବିଭିନ୍ନ ସମୟରେ ପରାମର୍ଶ ଦିଆଯାଉଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନାହିଁ। ଏହାକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉଦ୍‌ବେଗ ପ୍ରକାଶ କରିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଏ ଦିଗରେ କି ପଦକ୍ଷେପ ନିଆଯାଇଛି ଆସନ୍ତା ୪ ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିବାକୁ କୁହାଯାଇଛି।

Share