ଛିଙ୍କ ଅଟକାଇଲେ ବିପଦ

ଭୁବନେଶ୍ୱର, ୧୫ା୧୨(ବନ୍ଦନା ସେଠୀ): ଛିଙ୍କ ଆସିଲେ ତାହାକୁ ଅଟକାଇବା ଉଚିତ ନୁହେଁ। ଛିଙ୍କକୁ ରୋକିବାକୁ ଚେଷ୍ଟା କଲେ ଏହା ନିଜ ପାଇଁ ବିପଜ୍ଜନକ ସାଜିପାରେ। ଏପରି କି ଜୀବନ ମଧ୍ୟ ଚାଲି ଯାଇପାରେ ବୋଲି ଡାକ୍ତରମାନେ କହିଛନ୍ତି। ଲାଇଭ୍‌ ସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଛିଙ୍କ ଚାପିବାରୁ ଜଣେ ବ୍ୟକ୍ତିଙ୍କର ଶ୍ୱାସନଳୀ ଫାଟି ଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଜଣକ ନିଜ କାର ଚଳାଇବା ସମୟରେ ପ୍ରଥମେ ଜ୍ୱର ଅନୁଭବ କରିଥିଲେ। ପରେ ପରେ ତାଙ୍କୁ ଛିଙ୍କ ଲାଗିଥିଲା। ମାତ୍ର ବ୍ୟକ୍ତିଜଣକ ଛିଙ୍କ ହେବାକୁ ନ ଦେଇ ନାକକୁ ଚାପି ପାଟି ବନ୍ଦ କରିଦେଇଥିଲେ। ଫଳରେ ଛିଙ୍କର ପ୍ରବଳ ପ୍ରେସରକୁ ତାଙ୍କ ଶ୍ୱାସନଳୀ ସମ୍ଭାଳି ନ ପାରି ଫାଟି ଯାଇଥିଲା। ଏହା ବିଶ୍ୱରେ ପ୍ରଥମ ଘଟଣା ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଛନ୍ତି। ବ୍ୟକ୍ତିଙ୍କ ଶ୍ୱାସନଳୀର ମାପ ୦.୦୮ ଇଞ୍ଚ ଥିଲା। ନାକ ଓ ପାଟି ଜୋରରେ ବନ୍ଦ କରିବା ଫଳରେ ଉକ୍ତ ବ୍ୟକ୍ତିଙ୍କ ବାୟୁପଥ ବନ୍ଦ ହୋଇଯାଇଥିଲା। ତେବେ ଛିଙ୍କଟି ସାଧାରଣ ଅପେକ୍ଷା ୨୦ ଗୁଣ ଅଧିକ ଶକ୍ତିଶାଳୀ ଥିଲା। ଚାପ ଫଳରେ ଶ୍ୱାସନଳୀରେ ୨ ମିଲିମିଟର ଛିଦ୍ର ସୃଷ୍ଟି ହୋଇଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ନିଃଶ୍ୱାସ ନେବା, କଥାବାର୍ତ୍ତା କିମ୍ବା ଗିଳିବାରେ କୌଣସି ଅସୁବିଧା ହେଉ ନ ଥିଲା। ଉକ୍ତ ବ୍ୟକ୍ତିଙ୍କର ସର୍ଜିକାଲ ଏମ୍ଫିସେମା ରୋଗ ଥିବା ଏକ୍ସ-ରେ ଦ୍ୱାରା ଜଣାପଡିଥିଲା। ଏହା ଏପରି ଏକ ରୋଗ ଯେଉଁଠାରେ ଚମଡ଼ାର ଟିସୁ ସ୍ତର ପଛରେ ପବନ ରହିଥାଏ। ତାଙ୍କର ଫୁସଫୁସ ଏବଂ ଛାତି ଭିତରେ ମଧ୍ୟ ପବନ ରହିଥିଲା। ନାକ ଓ ମୁହଁ ବନ୍ଦ କରି ଛିଙ୍କ ଅଟକାଇବା ଦ୍ୱାରା ଏପରି କ୍ଷତି ହୋଇଥିବା ସିଟି ସ୍କାନରୁ ଜଣାପଡିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି।

Share