ଯତ୍ନ କଲେ ରତ୍ନ ମିଳେ

ଅକ୍ଷୟ କୁମାର ମିଶ୍ର

ଯତ୍ନ କଲେ ରତ୍ନ ମିଳେ’- ଓଡ଼ିଆରେ ବହୁ ପ୍ରଚଳିତ ଏକ ଲୋକବାଣୀ। ଏହି ଯତ୍ନ ନେବା ପରିସରଟି ବେଶ୍‌ ବିସ୍ତୃତ ତଥା ବ୍ୟାପକ। ଯଦି ଏହାକୁ ପିଲାମାନଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଏ, ତେବେ ମାତାପିତାଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଏମାନଙ୍କ ସହିତ ଯୋଡ଼ି ହେଉଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ଭୂମିକା ଏଠାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ସରକାରର ଦାୟିତ୍ୱ ମଧ୍ୟ ବହୁତ ବେଶି। କାରଣ ଆମର ସାମାଜିକ, ଅର୍ଥନୈତିକ ଓ ଭୌଗୋଳିକ ଅବସ୍ଥା ଯାହା ସମସ୍ତ ମାଆବାପା ଚାହିଁଲେ ମଧ୍ୟ ଶିଶୁର ସବୁ ଚାହିଦା ପୂରଣ କରିବା ସମ୍ଭବ ନୁହେଁ।
ଶିଶୁ/ପିଲାମାନଙ୍କର ଯତ୍ନ ନେବା ପ୍ରକ୍ରିୟା ଆରମ୍ଭ ହୁଏ ମାଆର ଗର୍ଭ ଭିତରେ ଥିବା ସମୟରୁ। ଅବଶ୍ୟ ଏଥିପାଇଁ ସରକାର କିଛି ଯୋଜନା ହାତକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିକାଶ ମାଧ୍ୟମରେ ମାଆ ଓ ଶିଶୁର ଯତ୍ନ ନେଉଛନ୍ତି, କିନ୍ତୁ ସମସ୍ତ ଶିଶୁ ନିକଟରେ ଏହି ସୁବିଧା ଉପଲବ୍ଧ ହୋଇପାରୁଛି ଏକଥା ଜୋର ଦେଇ କହି ହେବ ନାହିଁ। ଏ ସମ୍ପର୍କରେ ବହୁ ଦୟନୀୟ ଚିତ୍ର ଗଣମାଧ୍ୟମରେ ବାରମ୍ବାର ଉଠିଆସିଛି, ଯାହାକୁ ଦେଖିସାରିବା ପରେ ଏତିକି କୁହାଯାଇପାରେ ବହୁ ମୂଲ୍ୟବାନ୍‌ ଯତ୍ନକୁ ଆମେ ପ୍ରତି ନିୟତ ହରେଇ ଚାଲିଛୁ।
ମାନବରୂପୀ ଚାରାଗଛର ଯତ୍ନ ନେବାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୁଏ ଯେତେବେଳେ ସେ ମାଆର ଉଦର ଛାଡ଼ି ଦୁନିଆ ବକ୍ଷକୁ ଆଗମନ କରେ। ଏହି ସମୟରେ ମା’ବାପାର ଭୂମିକା ସର୍ବାଧିକ। କିନ୍ତୁ ଭୋକ ଓ ଭୋଗ ଶିଶୁକୁ ଏଥିରୁ ଯେ ବଞ୍ଚତ୍ତ କରୁଛି ଏ କଥାକୁ ଅସ୍ବୀକାର କରିହେବ ନାହିଁ। କେଉଁଠି ମା’ବାପା ଛୁଆକୁ ତା’ର ବଡ଼ଭାଇ ଅଥବା ବଡ଼ଭଉଣୀ ପାଖରେ ଛାଡ଼ି ଦେଇ ପେଟ ପାଇଁ ମଜୁରି ଖଟିବାକୁ ଯାଉଛନ୍ତି ତ ଆଉ କିଏ ଚାଇଲ୍‌ଡ କେୟାର ସେଣ୍ଟରରେ ଶିଶୁକୁ ଛାଡ଼ିଦେଇ ନିଜ ଦାୟିତ୍ୱ ସାରୁଛନ୍ତି।
ଏବେ ଯିବା ତୃତୀୟ ପର୍ଯ୍ୟାୟକୁ, ଯାହା ପିଲାର ତିନି ବର୍ଷ ବୟସରୁ ଆରମ୍ଭ ହୋଇ ଚଉଦ ବର୍ଷ ବୟସ ପର୍ଯ୍ୟନ୍ତ ପରିବ୍ୟାପ୍ତ ା ପ୍ରଥମ ପାଞ୍ଚ ବର୍ଷ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ନୂତନ ଅନୁଭବର ସମୟ। ମାଆର ସୁରକ୍ଷିତ କୋଳ ଛାଡ଼ି ଏକ ଅପରିଚିତ ଦୁନିଆ ଭିତରକୁ ପ୍ରବେଶ କରନ୍ତି ପିଲାମାନେ। ଅଙ୍ଗନଓ୍ବାଡି ଅଥବା ପ୍ଲେ ସ୍କୁଲ, ତା’ପରେ ପ୍ରାଥମିକ ବିଦ୍ୟାଳୟ ଅଥବା ଶିଶୁ ମନ୍ଦିରର ଧରାବନ୍ଧା କାର୍ଯ୍ୟ ସାରଣୀ ଯଦି ଦୈବାତ୍‌ ତା’ ପାଇଁ ଅରୁଚିକର ହେଲା, ତେବେ ତା’ ମନରେ ଅନାଗ୍ରହ, ଅନାସ୍ଥା ଭାବ, ଅକୁହା ଭୟ, ଅବ୍ୟକ୍ତ ଘୃଣା ଜାତ ହେବାର ସମ୍ଭାବନା ଯଥେଷ୍ଟ ଥାଏ, ଯଦ୍ଦ୍ବାରା ପିଲାଟିର ବିପଥଗାମୀ ହେବାର ସମ୍ଭାବନା ଜାତହୁଏ।
ଅପରପକ୍ଷେ ସମ୍ବେଦନଶୀଳତାର ସହିତ ସମୟୋଚିତ ଉପଯୁକ୍ତ ଯତ୍ନ ନେଲେ ଏହି କୋମଳମତି ଶିଶୁମାନଙ୍କର ମସ୍ତିଷ୍କର କ୍ରମବିକାଶ ଘଟେ ଏବଂ ସର୍ଜନଶୀଳତାର ଦ୍ୱାର ଉନ୍ମୁକ୍ତ ହୁଏ। ଏଣୁ ଭରପୂର ସ୍ନେହ, ଶ୍ରଦ୍ଧା ଓ ମମତା ଦେଇ ଖେଳକୁଦ ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଶିକ୍ଷଣ ପ୍ରକ୍ରିୟା ସର୍ବାଦୌ ଗ୍ରହଣୀୟ ବୋଲି ମନେହୁଏ। ଦ୍ୱିତୀୟ ଓ ତୃତୀୟ ତିନିବର୍ଷ ପିଲାଙ୍କ ପାଇଁ ମୌଳିକସ୍ତର। ଏହି ଛଅବର୍ଷ ମାତାପିତା ବା ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ଶାସକ ଓ ପ୍ରଶାସକର ଏକ ସରଳରୈଖିକ ଅବସ୍ଥାନ ବାଞ୍ଛନୀୟ। ଏଥିସହିତ ବୈଷମ୍ୟ ବିହୀନ ବିଜ୍ଞାନଭିିତ୍ତିକ ବ୍ୟବସ୍ଥା ପ୍ରଣୟନ ହେବା ଜରୁରୀ ା ଯାହା ଫଳରେ ସମ୍ଭାବନାମୟ ସମୁଜ୍ଜ୍ୱଳ ଭବିଷ୍ୟତର ମୂଳଭିିତ୍ତି ସୁଦୃଢ଼ ହୁଏ। ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ପିଲାମାନଙ୍କ ପାଇଁ ଏକ ସମସ୍ୟାବହୁଳ ସମୟ। ଏହି ବୟସରେ ପିଲାମାନେ ସହି ପାରନ୍ତିନି କି ମୁହଁ ଖୋଲି କହିପାରନ୍ତି ନାହିଁ। ବୁଝି ପାରିବାର ଶକ୍ତିଥାଏ, କିନ୍ତୁ ପ୍ରତିବାଦ କରିବାର ସାହସ ନ ଥାଏ। ଆବଶ୍ୟକତା ବଢ଼ିଯାଏ, କିନ୍ତୁ ଅଝଟ ହେବାର ବୟସ ନଥାଏ। ଚାହିଦା ପୂରଣ ନ ହେଲେ ଅବହେଳା କରାଯାଉଛି ବୋଲି ମନକୁ ନିଅନ୍ତି। ସେମାନଙ୍କ ପାଇଁ ଅନୁଶାସନ ଅସହ୍ୟ ା
ଉପଦେଶକୁ ଉପେକ୍ଷା କରିବାର ବୟସ। ଅଥଚ ଏହି ପର୍ଯ୍ୟାୟଟି ଭବିଷ୍ୟତ ଗଠନର ପ୍ରବେଶ ପଥ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସହଭାଗିତା, ସହଯୋଗ ଏବଂ ସହାୟତା ଦ୍ୱାରା ହିଁ ସମସ୍ତ ସମସ୍ୟା ସମାଧାନ ସମ୍ଭବ ହୋଇଥାଏ।
ଆଲୋଚ୍ୟ ଏହି ଚାରୋଟି ପର୍ଯ୍ୟାୟରେ ଉପଯୁକ୍ତ ଯତ୍ନ ନିଆଗଲେ ମାନବ ସମ୍ବଳର ବିକାଶ ଘଟେ। ବିକଶିତ ମାନବ ସମ୍ବଳ ଦେଶ ପାଇଁ ବୋଝ ନ ହୋଇ ରତ୍ନଭଣ୍ଡାର ପାଲଟିଯାଏ। ପ୍ରଶ୍ନ ହେଉଛି ଏହି ରତ୍ନ ଭଣ୍ଡାରଗୁଡ଼ିକ ପ୍ରତି ଆମର ଆଭିମୁଖ୍ୟ କ’ଣ? ଏମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଆମେ କେତେ ତପତ୍ର? ନଗଡ଼ାର ନର ଶିଶୁମାନଙ୍କର ଲଙ୍ଗଳା ଚେହେରା ତା’ର ଉତ୍ତର। ପେଟର ଭୋକ ମେଣ୍ଟାଇବା ପାଇଁ ଆମ୍ବ ଟାକୁଆ ଖାଇବା ତା’ର ପ୍ରମାଣ। କୋଟି କୋଟି ଶିଶୁ ହୋଟେଲ, ଗ୍ୟାରେଜ୍‌ ଆଦି ଅସୁରକ୍ଷିତ ଜାଗାରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାର ଚିତ୍ର ଏହାର ସିଦ୍ଧାନ୍ତ ା ଏ କଥାକୁ ନେଇ କେହି କେହି କହିପାରନ୍ତି ଯେଉଁ ଦେଶର ଲୋକସଂଖ୍ୟା ୧୪୦ କୋଟିରୁ ଊର୍ଦ୍ଧ୍ୱ, ସେଠାରେ ଏମିତି କିଛି ଅଭିଯୋଗ ଉଠିବା ବଡ଼ କଥା ନୁହେଁ। ଆଗକୁ ଆସି ଆଉ କିଛି ଲୋକ କହିବା ଆରମ୍ଭ କଲେଣି, ସବୁ କଥା ସରକାର ବୁଝିବା ସମ୍ଭବ ନୁହେଁ। ଜନ୍ମ ଦେଉଥିବା ମା’ବାପା ଏଥିପାଇଁ ଦାୟୀ। ଆଉ କିଛି ଲୋକ କହନ୍ତି, ‘କପାଳ ଲିଖନ କେ କରିବ ଆନ’। ଭାଗ୍ୟରେ ଥିଲେ ରାଜା ହେବ। ଭାଗ୍ୟ ବଦଳାଇବାର ଶକ୍ତି କାହାଠି ନାହିଁ।
ବାସ୍ତବତା ହେଉଛି, ଏହି ସମସ୍ତ କଥାକୁ ଯଦି ସତ୍ୟ ବୋଲି ଗ୍ରହଣ କରି ନିଆଯାଏ, ତେବେ ବୈଷମ୍ୟର ପ୍ରାଚୀର କେବେ ହଟିବ ନାହିଁ। ଆମ ଦେଶର ସତୁରି ଭାଗ ଶିଶୁ ଯେଉଁମାନେ ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ପରିବାରରେ ଜନ୍ମଗ୍ରହଣ କରିଛନ୍ତି, ସେମାନେ ନା ପାଇବେ ପୁଷ୍ଟିକର ଖାଦ୍ୟ ନା ପାଇବେ ଉପଯୁକ୍ତ ଶିକ୍ଷା। ଅନିଶ୍ଚିତତାର ଅତଳ ଗହ୍ବର ଭିତରୁ ଉଦ୍ଧାର ପାଇପାରିବେନି ଦେଶର ଅଗଣିତ ଶିଶୁ। ବିଶାଳ ପରିବାରର ଶିଶୁ ବାହ୍ୟ ସହାୟତା ବିନା ହୁଏତ ପ୍ରତିଭାତ ହୋଇପାରିବେ, କିନ୍ତୁ ଅନ୍ୟମାନଙ୍କ ପାଇଁ ରାଷ୍ଟ୍ରର ସହଯୋଗ ଅପରିହାର୍ଯ୍ୟ।
ତମାମ ବିଶ୍ଳେଷଣର ପ୍ରାସଙ୍ଗିକତା କେତେ ଅଧିକ, ତାହା ମହାମାରୀ କରୋନାର କାଳଖଣ୍ଡକୁ ଅନୁଶୀଳନ କଲେ ସ୍ପଷ୍ଟ ବାରିହୋଇ ପଡ଼େ । ଯଦି ଅବହେଳିତ କ୍ଷେତ୍ରଗୁଡ଼ିକର ପରିସଂଖ୍ୟାନ ନିଆଯାଏ, ତେବେ ଶୀର୍ଷସ୍ଥାନରେ ଯେ ଦେଶର ଏହି ଭବିଷ୍ୟତ ପିଢ଼ିମାନେ ରହିବେ ଏଥିରେ ଦ୍ୱିରୁକ୍ତି ନାହିଁ।
ପିଲାମାନଙ୍କର ଶିକ୍ଷା ପ୍ରତି ଅଣଦେଖା କଲେ ସେମାନେ ଯେ ଆଗକୁ ବଢ଼ି ପାରିବେନି ଏହା ସୁନିଶ୍ଚିତ। ଏହା ଜ୍ଞାତ ଥିଲେବି ପାଖାପାଖି ଦେଢ଼ବର୍ଷ ଧରି ସମ୍ପୂର୍ଣ୍ଣ ବନ୍ଦ ଥିବା ଶିକ୍ଷାଦାନ ପ୍ରକ୍ରିୟା କେମିତି ସ୍ବାଭାବିକ ଅବସ୍ଥାକୁ ଫେରିବ ସେ ବାବଦରେ ନା ଅଛି ପ୍ରସ୍ତୁତି ନା ଚିନ୍ତନ। ଗୋଟିଏ ଶିକ୍ଷା ବର୍ଷ ପୂରା ଧୋଇ ଯାଇଥିବା ବେଳେ ଦୁଇଟି ଶିକ୍ଷାବର୍ଷ ଘୋର ପ୍ରଭାବିତ ହୋଇଛି। ଏହି ସଂକଟରୁ ମୁକୁଳିବା ପାଇଁ ଆମ ରାଜ୍ୟରେ ୟୁ-ଟ୍ୟୁବ୍‌ରେ ଶିକ୍ଷାଦାନ ଚାଲିଛି। କିନ୍ତୁ ରାଜ୍ୟର ଅଶୀ ପ୍ରତିଶତ ପିଲା ଏଥିରୁ ବଞ୍ଚତ୍ତ। ଏମାନଙ୍କୁ ଏଥିରେ ସାମିଲ କରାଯାଇ ନ ପାରିଲେ ଭବିଷ୍ୟତରେ ଏକ ବିରାଟ ତାରତମ୍ୟ ସୃଷ୍ଟି ହେବ। ଦ୍ୱିତୀୟରେ ଅନ୍‌ଲାଇନ୍‌ ଶିକ୍ଷାଦାନ ଏକ ସାମୟିକ ତଥା ଖଣ୍ଡିତ ପ୍ରକ୍ରିୟା। ବିଦ୍ୟାଳୟ ଖୋଲିବା ବାବଦରେ ନୂତନ ଭାବନା ଜରୁରୀ। ବ୍ରିଟେନ୍‌, ନରୱେ, ଡେନ୍‌ମାର୍କ, ସ୍ବିଡେନ୍‌ ଆଦି ଦେଶଗୁଡ଼ିକରେ ଯଦି ୧୨ ବର୍ଷ ଓ ତଦୂର୍ଦ୍ଧ୍ୱ ପିଲାଙ୍କୁ ଟିକା ଦିଆଯାଇ ପାରୁଛି, ତେବେ ଆମ ଦେଶରେ କାହିଁକି ହୋଇ ପାରିବନି? ମନରେ ଆଉ ଏକ ପ୍ରଶ୍ନ ଉଙ୍କିମାରେ। ଆଜି ପର୍ଯ୍ୟନ୍ତ ୧୮ ବର୍ଷରୁ କମ୍‌ ବୟସର କେତେ ପିଲା ଆମ ଦେଶରେ ସଂକ୍ରମିତ ହୋଇଛନ୍ତି? ଯଦି ଏହା ନଗଣ୍ୟ, ତେବେ ସମସ୍ତ ଶିକ୍ଷକଙ୍କୁ ଟିକା ଦେଇସାରି କୋଭିଡ୍‌ ବ୍ୟବହାର ଅନୁସରଣ କରି ବିଦ୍ୟାଳୟ ଖୋଲିବା ବ୍ୟବସ୍ଥା କରାଯାଉ ନାହିଁ କାହିଁକି?
ମୋଟାମୋଟି କହିବାକୁ ଗଲେ ‘ଜୀବନର ସୁରକ୍ଷା ଦେବା’ ଓ ‘ସମର୍ଥ କରି ଗଢ଼ି ତୋଳିବା’- ଶିଶୁ/ପିଲାମାନଙ୍କର ଏହି ଉଭୟ ଦିଗ ପ୍ରତି ଧ୍ୟାନ ଦେଇ ଯତ୍ନ ନେଲେ ରତ୍ନ ମିଳିବ ଏହା ହିଁ ସାର ବଚନ।
ମୋ: ୭୦୦୮୦୭୩୫୯୯