Categories: ଖେଳ

ସ୍ଲିମ୍‌-ଟ୍ରିମ୍‌ କ୍ରିକେଟର ଆବଶ୍ୟକ ତ ଫ୍ୟାଶନ୍‌ ଶୋ’କୁ ଯାଅ: ଗାଭାସ୍କର

ନୂଆଦିଲ୍ଲୀ,୨୦।୧: ଘରୋଇ ଶୃଙ୍ଖଳାରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସରଫରାଜ ଖାଁଙ୍କୁ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳୁନାହିଁ। ଗତ ତିନୋଟି ଘରୋଇ ସିଜନରେ ସେ ୨୪୪୧ ରନ୍‌ କରିଛନ୍ତି। ଏହାକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ଖେଳ ନୁହେଁ ବରଂ ମୋଟା ଯୋଗୁ ଡେବ୍ୟୁ କରିବାକୁ ସୁଯୋଗ ମିଳୁ ନ ଥିବା କୁହାଯାଉଛି। ଏବେ ଏହି ପ୍ରସଙ୍ଗରେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ସରଫରାଜଙ୍କ ସମର୍ଥନରେ ବାହାରିଛନ୍ତି। ଏପରିକି ସେ ଚୟନ କମିଟିକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ଏକ ସାକ୍ଷାତକାରରେ ଗାଭାସ୍କର କହିଛନ୍ତି, ଯଦି କେହି ଅନ୍‌ଫିଟ ତେବେ ଦିନ ଶେଷ ଆଡକୁ ନିଜର ଶତକ ପୂରଣ କରିପାରିବ ନାହିଁ। ଏଥିଲାଗି କ୍ରିକେଟରେ ଫିଟ୍‌ନେସ ବହୁତ ଜରୁରୀ। ଜଣେ ଖେଳାଳି କ୍ରିକେଟ ଲାଗି କେତେ ଫିଟ୍‌ ତାହା ସୁନିଶ୍ଚିତ କରିବାକୁ ହେବ। ସରଫରାଜ ଶତକ ମାରିବା ପରେ ମଇଦାନ ବାହାରେ ରୁହନ୍ତି ନାହିଁ। ସେ ପୁଣିଥରେ ଆସି ନିଜକୁ ପ୍ରମାଣିତ କରିଥାନ୍ତି। ଯଦି ଆପଣ କେବଳ ପତଳା(ସ୍ଲିମ୍‌ ଆଣ୍ଡ ଟ୍ରିମ୍‌) ଖେଳାଳି ଖୋଜୁଛନ୍ତି, ତେବେ ଆପଣଙ୍କୁ କୌଣସି ଫ୍ୟାଶନ୍‌ ଶୋ ଯିବା ଉଚିତ। ସେଠାରୁ କିଛି ମଡେଲଙ୍କୁ ଆଣି ବ୍ୟାଟ୍‌ ଏବଂ ବଲ୍‌ ଧରାଇବା ଉଚିତ। ଏହାପରେ ଦଳରେ ସୁଯୋଗ ଦେବା କଥା। ଆପଣଙ୍କ ପାଖରେ ସମସ୍ତ ଆକାରର କ୍ରିକେଟର ଅଛନ୍ତି। ଏଣୁ ମୋଟା କିମ୍ବା ପତଳା ଦେଖନ୍ତୁ ନାହିଁ। ରନ୍‌ ଏବଂ ଉଇକେଟ ଆଧାରରେ ଖେଳାଳି ଚୟନ କରନ୍ତୁ ବୋଲି ସେ କହିଛନ୍ତି।

Share