Categories: ଖେଳ

ଯଦି ଡବ୍ଲୁଟିସି ଫାଇନାଲ ଭଳି ମ୍ୟାଚର ପ୍ରସ୍ତୁତି କରିବାର ଅଛି, ତେବେ ଆଇପିଏଲ ଛାଡିବାକୁ ପଡ଼ିବ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲରେ ଭାରତୀୟ ଦଳ ପରାଜୟ ହୋଇଛି। ଯାହାର ମୁଖ୍ୟ କାରଣ ଦଳର ପ୍ରସ୍ତୁତି ଅଭାବ ବୋଲି ଦର୍ଶାଯାଇଛି। ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଏଭଳି ମ୍ୟାଚ ପାଇଁ ପ୍ରସ୍ତୁତି ପାଇଁ ଅତି କମରେ ୨୦ରୁ ୨୫ଦିନ ପ୍ରସ୍ତୁତି ପାଇଁ ସମୟ ମିଳିବା ଉଚିତ୍‌। ଭାରତୀୟ ଦଳର ପୂର୍ବତନ ମୁଖ୍ୟ ରବି ଶାସ୍ତ୍ରୀ ତାଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଏହି ସବୁ ଜିନିଷ ଖେଳାଳିଙ୍କ ଉପରେ ନିର୍ଭର କରୁଛି, ସେମାନଙ୍କୁ କ’ଣ ବାଛିବାକୁ ପଡ଼ିବ।

ଡବ୍ଲୁଟିସି ଫାଇନାଲରେ ପରାଜୟ ପରେ ଷ୍ଟାର ସ୍ପୋର୍ଟସ ସହିତ କଥାବାର୍ତ୍ତା କରି ରବି ଶାସ୍ତ୍ରୀ କହିଛନ୍ତି ଯେ, ଆଜିର ସମୟରେ ଏହା ଆଦୌ ହେବ ନାହିଁ ଯେ, ଆପଣ ଏକ ସିରିଜ ପାଇଁ ୨୦ରୁ ୨୧ ଦିନ ସମୟ ନେଇପାରିବେ। ୨୦୨୧ରେ ଶେଷ ଥର ଦେଖିବାକୁ ମିଳିଥିଲା, ଯେତେବେଳେ ଭାରତ ୩ ସପ୍ତାହ ପୂର୍ବରୁ ଇଂଲଣ୍ଡ ଗସ୍ତ ଗସ୍ତ କରି ପ୍ରସ୍ତୁତି ଆରମ୍ଭ କରିଥିଲା। ଏହା ମଧ୍ୟ ଆମକୁ ଉପକୃତ କରିଥିଲା ଏବଂ ସେହି ସିରିଜରେ ଆମେ ୨-୧ରେ ଆଗରେ ରହିଥିଲୁ ।

ଶାସ୍ତ୍ରୀ ଆହୁରି କହିଛନ୍ତି, ଏହା ହୋଇପାରେ କାରଣ ସେହି ସମୟରେ କରୋନା କାରଣରୁ ଆଇପିଏଲ ସ୍ଥଗିତ ରଖାଯାଇଥିଲା। ଏହି କାରଣରୁ, ନିର୍ଦ୍ଧାରିତ ସମୟ ପୂର୍ବରୁ ଆମେ ଇଂଲଣ୍ଡରେ ପହଞ୍ଚିଯାଇଥିଲୁ। ଆମକୁ ଆଜିର ସମୟ ଅନୁଯାୟୀ ବଞ୍ଚିବାକୁ ପଡିବ। ଯଦି ଆମକୁ ଏହିପରି ଫାଇନାଲ ମ୍ୟାଚ ପାଇଁ ୨୦ଦିନ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡିବ, ତେବେ ଆମକୁ ଆଇପିଏଲ ଛାଡିବାକୁ ପଡିବ। କିନ୍ତୁ ଏହି ସବୁ ଜିନିଷ ଖେଳାଳିଙ୍କ ଉପରେ ନିର୍ଭର କରେ ।

Share