କାର୍ଯ୍ୟ ଦିବସ ନଷ୍ଟକଲେ ଭରଣା କରିବ

ଭୁବନେଶ୍ୱର,୧୫ା୯(ଅନିଲ ଦାସ):ରାଜ୍ୟର ବିଭିନ୍ନ ଜିଲାରେ ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ୩ ଦଫା ଦାବି ନେଇ ସେପ୍ଟେମ୍ବର ୮ରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏଥିଯୋଗୁ ରାଜ୍ୟରେ ପ୍ରାଥମିକ ଶିକ୍ଷା ଗଭୀର ଭାବେ ପ୍ରଭାବିତ ହୋଇଛି। ଆନ୍ଦୋଳନ ବନ୍ଦ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏ ନେଇ ସମସ୍ତ ଡିଇଓ, ବିଇଓଙ୍କୁ ଗୁରୁବାର ଚିଠି ଲେଖିଛନ୍ତି। ସ୍କୁଲରେ କେଉଁମାନେ ଅନୁପସ୍ଥିତ ଅଛନ୍ତି, ସେମାନଙ୍କର ଏକ ଦୈନିକ ଉପସ୍ଥାନ ପ୍ରସ୍ତୁତ କରିବା ସହ ଉପସ୍ଥିତ ଓ ଅନୁପସ୍ଥିତ ଶିକ୍ଷକଙ୍କ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ସଂପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଶିକ୍ଷକମାନେ କୌଣସି କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନ ଦେଇ ଶିକ୍ଷାଦାନ ଛାଡ଼ି ଆନ୍ଦୋଳନ କରୁଛନ୍ତି, ଯାହାକି ଆଚରଣ ବିଧିର ଏହା ଖୋଲା ଉଲ୍ଲଂଘନ।
ଆନ୍ଦୋଳନରେ ବସିଥିବା ଶିକ୍ଷକଙ୍କୁ ୨୨୦ ଦିନର କାର୍ଯ୍ୟ ଦିବସ ଭରଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷକୁ ୨୨୦ ଦିନ କାମ ନ କଲେ ପରବର୍ତ୍ତୀ ସମୟରେ ଶିକ୍ଷକମାନେ ତାହାକୁ ଭରଣା କରିବେ ବୋଲି ସରକାର ଚେତାଇ ଦେଇଛନ୍ତି। ଯଦି କେହି ଆନ୍ଦୋଳନ କରି ଏବର୍ଷ କିଛି କାର୍ଯ୍ୟ ଦିବସକୁ ନଷ୍ଟ କରୁଛନ୍ତିି ପରବର୍ତ୍ତୀ ବର୍ଷରେ ତାହାକୁ ଭରଣା କରିବାକୁ ହେବ ବୋଲି କୁହାଯାଇଛି। ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସବ୍‌କମିଟି ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କ ଦାବିକୁ ନେଇ ଶିକ୍ଷକ ସଙ୍ଗଠନ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ଜାରି ରଖିଛି। ଆଲୋଚନା ପରେ କମିଟି ସୁପାରିସଗୁଡ଼ିକୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିକୁ ପ୍ରଦାନ କରିବ ବୋଲି ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜିଲା ଓ ବ୍ଲକସ୍ତରରେ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ଅବଗତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ଆନ୍ଦୋଳନ ଯୋଗୁ ରାଜ୍ୟରେ ପାଠପଢ଼ା ପ୍ରଭାବିତ ହୋଇଛି। ପିଲାମାନେ ଶିକ୍ଷାଗ୍ରହଣରୁ ବଞ୍ଚିତ ହେଉଛନ୍ତି। ଯେକୌଣସି ପରିସ୍ଥିତିରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଆନ୍ଦୋଳନରୁ ହଟାଇବାକୁ ସବୁ ଜିଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଉତ୍କଳ ପ୍ରାଥମିକ ସ୍କୁଲ ଶିକ୍ଷକ ଫେଡେରେଶନ ଅଧୀନରେ ରାଜ୍ୟବ୍ୟାପୀ ପ୍ରାୟ ୧.୩୦ ଲକ୍ଷ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ଚଳାଇଛନ୍ତି। ହାଇସ୍କୁଲ ଭଳି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରୁ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ କରିବା, ଗ୍ରେଡ୍‌ ପେ’ ୨୨ଶହରୁ ୪୨ଶହକୁ ବୃଦ୍ଧି ଏବଂ ପୁରୁଣା ପେନ୍‌ସନ ବ୍ୟବସ୍ଥା ଲାଗୁ କରିବାକୁ ଶିକ୍ଷକମାନେ ଦାବି କରିଛନ୍ତି। ଶିକ୍ଷକ ଆନ୍ଦୋଳନ ଯୋଗୁ ରାଜ୍ୟର ପ୍ରାୟ ୫୦ ହଜାର ସ୍କୁଲର ୪୦ ଲକ୍ଷ ଛାତ୍ରୀଛାତ୍ର ପାଠପଢାରୁ ବଞ୍ଚିତ ହେବା ସହ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବିତ ହୋଇଛି।
ପ୍ରାଥମିକ ଶିକ୍ଷକ ଫେଡେରେଶନର ସାଧାରଣ ସମ୍ପାଦିକା ଚାରୁଲତା ମହାପାତ୍ର କହିଛନ୍ତି, ବ୍ଲକ ଶିକ୍ଷା ଅଧିକାରୀଙ୍କଠାରୁ ଅନୁମତି ନେଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଛି। ପିଲାମାନଙ୍କ ପ୍ରତି ଆମେ ସମ୍ବେଦନଶୀଳ। ପିଲାମାନଙ୍କ ପାଠପଢ଼ାକୁ ଆମେ ଭରଣା କରିବୁ। ସରକାର ଆମ ଦାବିକୁ ପୂରଣ କଲେ ଆମେ କାର୍ଯ୍ୟରେ ଯୋଗଦେବୁ। ଆସନ୍ତା ଶନିବାର ସଂଘର ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଶିକ୍ଷକ ସଂଘର ଜଣେ ସଦସ୍ୟ କହିଛନ୍ତି, ଦେଶର ୨୨ଟି ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କର ଗ୍ରେଡ୍‌ ପେ’ ୪୨୦୦ ରହିଛି। ନ୍ୟାଶନାଲ କାଉନ୍‌ସିଲ ଫର୍‌ ଟିଚର ଏଜୁକେଶନ ଗାଇଡ୍‌ଲାଇନ ଅନୁଯାୟୀ ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟତା ଯୁକ୍ତ୨ ସହ ସିଟି କିମ୍ବା ବିଇଡି ଯୋଗ୍ୟତା ଧାର୍ଯ୍ୟ କରିଛନ୍ତି। ଏ ଦୃଷ୍ଟିରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କର ଗ୍ରେଡ୍‌ ପେ’ ୨୨୦୦ରୁ ୪୨୦୦କୁ ବୃଦ୍ଧି କରିବା ଆବଶ୍ୟକ। ୨୦୧୭ରୁ ସରକାରଙ୍କ ନିକଟରେ ସଂଘ ପକ୍ଷରୁ ଏ ନେଇ ଦାବି କରାଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ। ଏହାଛଡ଼ା ପ୍ରାଥମିକ ସ୍କୁଲରେ ଠିକା ନିଯୁକ୍ତି ବଦଳରେ ସ୍ଥାୟୀ ନିଯୁକ୍ତି କରିବାକୁ ଶିକ୍ଷକ ସଂଘ ଦାବି କରିଛି।

Share