ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଗୁଣପୁର,୨୯ା୩(ଡି.ଏନ୍‌.ଏ.): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଥିବା ମାଲାକନଗିରି ଜିଲା ଗ୍ରାମ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କୁ ଅମାପ ଧନ ସମ୍ପତ୍ତି ଠାବ ହେବାରେ ଲାଗିଛି। ମଙ୍ଗଳବାର ଯନ୍ତ୍ରୀ ଦାସଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଦାସଙ୍କ ବାସଭବନରେ ଗତ ୪ଦିନ ହେବ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରହିଥିଲା। ଗୁଣପୁରସ୍ଥିତ ଏକ୍ସିସ ବ୍ୟାଙ୍କ ଲକ୍କରକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହି ବ୍ୟାଙ୍କରେ ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଲକ୍କରରୁ ସୁନାଚେନ ୪ଟି, ସୁନା ଚୁଡି ୨ଟି, ୧୦ଟି ୧୦ଗ୍ରାମର ସ୍ବର୍ଣ୍ଣ ମୁଦ୍ରା ଏପରି ମୋଟ ୩୮୫ ଗ୍ରାମର ସୁନା ଅଳଙ୍କାର ଠାବ କରାଯାଇଥିବା ଭିଜିଲାନ୍ସ ଡ଼ିଏସ୍‌ପି ସୁଶାନ୍ତ ବିଶ୍ବାଳ ସୂଚନା ଦେଇଛନ୍ତି। ଏହି ସମୟରେ ଜଯପୁର ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ମଲିକ, ନିରୀକ୍ଷକ ଏସ. ନ. ପ୍ରଧାନ, ଅନୁଭା ଦାସ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ସୂଚନାଯୋଗ୍ୟ, ଗତ ୨୦୧୬ରେ ଯନ୍ତ୍ରୀ ଦାସ ଗୁଣପୁର ଗ୍ରାମ୍ୟ ନିର୍ମାଣ ବିଭାଗରେ ଏସ୍‌ଡିଓ ଭାବେ କାର୍ଯ୍ୟରତ ଥିଲେ l