Advertisement

ଉପଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର

ରାଉରକେଲା,୨୬।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ଟିସିଆଇ-ଆଇଡିସି ବାଇପାସ ରାସ୍ତାରେ ଗ୍ୟାସ ପାଇପ୍‌ ବିଛା କାମ ଚାଲିଛି। ସମ୍ପୃକ୍ତ ଠିକାସଂସ୍ଥା ପାଇପ୍‌ ବିଛାଇବା ନାଁରେ ରାସ୍ତାରେ ବଡ ବଡ ଗାତ ଖୋଳି ଦେଉଛି। ଫଳରେ ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଏ ନେଇ ପାନପୋଷ ଉପଜିଲାପାଳ ଅଭିମନ୍ୟୁ ମାଝୀ ଅବଗତ ହେବା ପରେ ସମ୍ପୃକ୍ତ ଠିକାସଂସ୍ଥାକୁ ଡାକି ଟିସିଆଇ-ଆଇଡିସି ମୁଖ୍ୟରାସ୍ତା ସମତୁଲ କରିବା ସହ ଗାତ ଖୋଳିଲେ ତୁରନ୍ତ ପୋତିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉକ୍ତ ଠିକାସଂସ୍ଥା ବାଇପାସ ରାସ୍ତାରେ ଗାତ ଗୁଡିକୁ ପୋତି ସମତୁଲ କରିଥିଲା। ମାତ୍ର ଉପଜିଲାପାଳଙ୍କ ନିର୍ଦ୍ଦେଶର ୨ମାସ ନ ବିତୁଣୁ ଠିକାସଂସ୍ଥା ପୁନର୍ବାର ଗାତ ଖୋଳିବାରେ ଲାଗିଛି। ଗୋଟିଏ ପଟେ ବର୍ଷା ପାଣି ଅନ୍ୟପଟେ ଗାତଖୋଳା ମାଟି କାଦୁଅ ରାସ୍ତାକୁ ଦୁର୍ଗମ କରିଦେଇଛି। ରାସ୍ତାରେ ଯାତାୟାତ କରିବାରେ ଯାତ୍ରୀମାନଙ୍କ ପାଇଁ ସମସ୍ୟା ହେଉଛି। ତୁରନ୍ତ ଟିସିଆଇ-ଆଇଡିସି ବାଇପାସ ରାସ୍ତାର ଗାତ ମାନ ପୋତି ସମତୁଲ କରିବାକୁ ଅଞ୍ଚଳାବାସୀ ଦାବି କରିଛନ୍ତି। ଏ ନେଇ ଉପଜିଲାପାଳ ଅଭିମନ୍ୟୁ ମାଝୀଙ୍କୁ ପଚାରିବାରୁ ସେ କହିଲେ, ଠିକାସଂସ୍ଥାର ଏଭଳି ମନମୁଖି କାର୍ଯ୍ୟକଳାପ ଉପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ଏହାସହ ରାସ୍ତାରେ ଖୋଳା ଯାଇଥିବା ଗାତଗୁଡିକ ତୁରନ୍ତ ପୋତିବା ସହ ରାସ୍ତା ସମତୁଲ କରିବା ପାଇଁ ଠିକାସଂସ୍ଥାକୁ କୁହାଯିବ ବୋଲି ମାଝୀ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share