ଲକ୍‌ଡାଉନକୁ ବେଖାତିର: କ୍ଷୀର, ପରିବା ବିକ୍ରି ଆଳରେ ଖୋଲୁଛି ଚା’, ଭେରାଇଟ ଷ୍ଟୋର

କଣ୍ଟାପଡା,୨୪।୭(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ସେହିପରି କଣ୍ଟାପଡା ବ୍ଲକରେ ଗୁରୁବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ତେବେ ରାଜ୍ୟସରକାର କେତେକ ଜିଲାକୁ ଆସନ୍ତା ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଉପରେ କଟକଣା କୋହଳ ରହିଛି। ଏହାର ଫଇଦା ନେଇ କଣ୍ଟାପଡା ବ୍ଲକ ଅଞ୍ଚଳର କେତେକ ବ୍ୟବସାୟୀ କ୍ଷୀର ଓ ପରିବା ବିକ୍ରିଆଳରେ ଚା’ ଓ ଭେରାଇଟ ଷ୍ଟୋର ଖୋଲୁଥିବା ଦେଖିବାକୁ ମିଳୁଛି। କଣ୍ଟାପଡା ବ୍ଲକର ଅଡ଼ଶପୁର, ବାଇରୋଇ, ଓଲଟପୁର, କଣ୍ଟାପଡା, ଦାମୋଦରପୁର, ବାଗଲପୁର, ସୁନ୍ଦରଗ୍ରାମ, ପାଟସୁନ୍ଦରପୁର, ଗୋବିନ୍ଦପୁର ଆଦି ବଜାରରେ କେତେକ ଚା’ଦୋକାନୀ ଭୋର ୪ଟାରୁ କ୍ଷୀର ବିକ୍ରି କରିବା ଆଳରେ ଦେକାନ ଖୋଲୁଛନ୍ତି। ଏହି ସମୟରେ ସେମାନେ ମୁହଁରେ ମାସ୍କ ପିନ୍ଧୁ ନ ଥିବା ବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉନାହାନ୍ତି।
ସେହିପରି କେତେକ ଭେରାଇଟ ଷ୍ଟୋର ମାଲିକ କ୍ଷୀର ଓ ପରିବା ବିକ୍ରିକୁ ଢ଼ାଲକରିବା ଆରମ୍ଭ କରିଛନ୍ତି। ଏହି ସମୟରେ ସେମାନେ ଲକଡାଉନ ନିୟମର ଖୋଲାଖୋଲି ଉଲଙ୍ଘନ କରୁଛନ୍ତି।
ଶୁକ୍ରବାର କଣ୍ଟାପଡା ବ୍ଲକଛକରେ କେତେକ ଚା’ଦେକାନୀ ଏହି ନିୟମର ଖୋଲାଖୋଲି ଉଲଙ୍ଘନ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସେହିପରି ଗ୍ରୋସରୀ ଦେକାନୀଙ୍କୁ ଦିନ ୧ଟାପର୍ଯ୍ୟନ୍ତ ଖୋଲିବାପାଇଁ ଗାଇଡଲାଇନ୍‌ ଜାରି କରାଯାଇଥି ବାବେଳେ ଅଧିକାଂଶ ଗ୍ରୋସରୀ ଦୋକାନୀ ଲୁଚାଛପାରେ ଦିନତମାମ ବ୍ୟବସାୟ ଚଳାଇଛନ୍ତି। ଏ ସମ୍ପର୍କରେ ଓଲଟପୁର ଥାନା ଆଇଆଇସି ଚିନ୍ମୟୀ ସାହୁ କହିଛନ୍ତି, ପାଟ୍ରୋଲିଂ ଚାଲିଛି ଯେଉଁମାନେ ହାବୁଡରେ ପଡୁଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Share