ହ୍ବିସିଲ୍ବ୍ଲୋୟର ତଥା ହରିୟାଣା କ୍ୟାଡର୍ ଆଇଏଏସ୍ ଅଧିକାରୀ ଅଶୋକ ଖେମ୍କାଙ୍କୁ ୫୪ ଥର ବଦଳି( ଭାରତରେ ବାବୁଙ୍କ ମଧ୍ୟରେ ସବୁଠୁ ଅଧିକ) କରାଯାଇ ଥିଲେ ମଧ୍ୟ ୩୦ ବର୍ଷ ଚାକିରି ପରେ ଏବେ ହରିୟାଣା ସରକାର ତାଙ୍କୁ ମୁଖ୍ୟ ଶାସନ ସଚିବ ଭଳି ଶୀର୍ଷ ପଦବୀକୁ ପଦୋନ୍ନତି ଦେଇଛନ୍ତି। ବ୍ୟବହାରିକ ରୂପରେ ସେ ରାଜ୍ୟରେ ପ୍ରତ୍ୟେକ ରାଜନୈତିକ ବ୍ୟବସ୍ଥା ସହ ରହି ସବୁବେଳେ ଅସୁବିଧାରେ ପଡ଼ିଛନ୍ତି ଓ ହ୍ବିସିଲବ୍ଲୋୟର ଭାବେ ସରକାରଙ୍କୁ ଅକଳରେ ପକାଇଛନ୍ତି। ଏଭଳି ଜଣେ ଅଧିକାରୀଙ୍କୁ ସରକାର ପଦୋନ୍ନତି ଦେବା ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ଘଟଣା। କେବଳ ଖେମ୍କା ନୁହନ୍ତି, ୧୯୯୧ ବ୍ୟାଚ୍ର ୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ମଧ୍ୟ ଶୀର୍ଷ ପଦବୀକୁ ପଦୋନ୍ନତି ଦିଆଯାଇଛି। ବର୍ତ୍ତମାନ ଏଭଳି ଅଧିକାରୀଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିବା ଜଣାପଡ଼ିଛି। ଖେମ୍କାଙ୍କ ସହ ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ବିନିତ୍ ଗର୍ଗ, ଅନିଲ ମଲିକ, ଜି.ଅନୁପମା, ଏ.କେ. ସିଂ, ଶ୍ରୀକାନ୍ତ ଓ୍ବାଗାଡ ଏବଂ ଅଭିଷେକ ଲିଖି। ହରିୟାଣାର ମୋଟ ନିର୍ଦ୍ଧାରିତ କ୍ୟାଡର ପଦବୀ ସଂଖ୍ୟା ୨୦୫। ଏହା ମଧ୍ୟରେ ୪୪ ପଦବୀ କେନ୍ଦ୍ର ପ୍ରତିନିଯୁକ୍ତି (ଡେପୁଟେଶନ)ପାଇଁ ଉଦ୍ଦିଷ୍ଟ। ତେବେ ରାଜ୍ୟ ଶୀର୍ଷ ପଦବୀରେ ଅଧିକ ବାବୁ ରହିବା ଘଟଣାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ହରିୟାଣାର ଦୃଷ୍ଟାନ୍ତ ଭିନ୍ନ ନୁହେଁ, ଏହି ଧାରା ଦେଶ ସାରା ଅଧିକ ଦେଖାଯାଇଛି। ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ,ରାଜ୍ୟ ସରକାର ଶୀର୍ଷ ପଦବୀରେ ୬ ଜଣ ଆଇଏଏସ୍ ଅଧିକାରୀରୁ ଅଧିକ ରଖି ପାରିବେ ନାହିଁ ବୋଲି ନିୟମ ଥିବାବେଳେ ଏହି ନିୟମକୁ ବିକୃତ କରାଯାଉଛି। ବିଭିନ୍ନ ରାଜ୍ୟ ସରକାର ଏହି ନିୟମକୁ ଅଣଦେଖା କରିଚାଲିଛନ୍ତି।
ପ୍ରତିନିଯୁକ୍ତି ନିୟମରେ ପରିବର୍ତ୍ତନ
ଅଲ୍ ଇଣ୍ଡିଆ ସର୍ଭିସ ରୁଲ୍ସର ସଂଶୋଧନ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଯେ କୌଣସି ଆଇଏଏସ୍, ଆଇପିଏସ୍ କିମ୍ବା ଆଇଏଫ୍ଏସ୍ ଅଧିକାରୀଙ୍କୁ ରାଜ୍ୟର ସହମତି ହେଉ କିମ୍ବା ବିନା ସହମତିରେ ନେବାକୁ ଅନୁମତି ଦେବ। ଏହାକୁ ନେଇ ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିସାରିଛନ୍ତି। ଏଥିରେ ଅଟଳ ରହିଥିବା କେନ୍ଦ୍ର ଏବେ ଡିଆଇଜି ସ୍ତରୀୟ ଆଇପିଏସ୍ ଅଧିକାରୀଙ୍କ ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁି ଏମ୍ପ୍ୟାନେଲମେଣ୍ଟ ରୁଲ୍କୁ ବନ୍ଦ କରିଛନ୍ତି। କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ରାଜ୍ୟରୁ ଅଧିକ ଡିଆଇଜି ପାହ୍ୟାର ପୋଲିସ ଅଧିକାରୀମାନଙ୍କୁ ନେଇ କେନ୍ଦ୍ରୀୟ ପୋଲିସ ସଂସ୍ଥା ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀଗୁଡ଼ିକରେ ଥିବା ଖାଲି ପଦବୀଗୁଡ଼ିକୁ ପୂରଣ କରିବାକୁ ସମ୍ଭବତଃ ଏହି ନିୟମ ପରିବର୍ତ୍ତନ କରାଯାଇଥିତ୍ଲା। କିନ୍ତୁ ଏବକାର ସ୍ଥିତି ବାସ୍ତବରେ ଅତି ଗମ୍ଭୀର। କେନ୍ଦ୍ରରେ ଆଇପିଏସ୍ ଅଧିକାରୀମାନଙ୍କ ପାଇଁ ସଂରକ୍ଷିତ ଡିଆଇଜି ସ୍ତରୀୟ ପଦବୀଗୁଡ଼ିକର ପାଖାପାଖି ଅଧା ଖାଲି ରହିଛି। ଆଇପିଏସ୍ କ୍ୟାଡର୍ ପାଇଁ ନିର୍ଦ୍ଧାରିତ ୨୫୨ ଡିଆଇଜି ପଦବୀ ମଧ୍ୟରୁ ୧୧୮ ଟି ପୂରଣ ହୋଇନାହିଁ। ସୂତ୍ରରୁ ଜଣାପଡ଼ିଛି ଯେ, କେନ୍ଦ୍ରରେ ନିଯୁକ୍ତି ପାଇଁ ରାଜ୍ୟଗୁଡ଼ିକୁ ଏହିସବୁ ଅଧିକାରୀଙ୍କୁ ପଠାଇବାକୁ ପଡ଼ିବ। ପ୍ରାରମ୍ଭରୁ ଆଇଏଏସ୍ ଅଧିକାରୀଙ୍କ ପାଇଁ ଡେପୁଟେଶନ ନିୟମର ସଂଶୋଧନ ପ୍ରସ୍ତାବକୁ କେତେକ ରାଜ୍ୟ ଦୃଢ଼ ବିରୋଧ କରିଥିଲେ। ବର୍ତ୍ତମାନ ଡିଆଇଜି ସ୍ତରୀୟ ଅଧିତ୍କାରୀଙ୍କ ପାଇଁ ଡେପୁଟେଶନ ରୁଲ୍ ପରିବର୍ତ୍ତନ ମଧ୍ୟ ସମାନ ପ୍ରକାର ପ୍ରତିରୋଧର ସମ୍ମୁଖୀନ ହେବ।
ରେଲ୍ଓ୍ବେରେ ପୁନର୍ଗଠନ
ଭାରତୀୟ ରେଲ୍ଓ୍ବେର ଦକ୍ଷତା ବୃଦ୍ଧି କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତୀକ୍ଷିତ ପୁନର୍ଗଠନ କାର୍ଯ୍ୟ ଆରମ୍ଭ କରିଛନ୍ତି। ଭାରତୀୟ ରେଲ୍ଓ୍ବେର ୮ଟି ସର୍ଭିସକୁ ଏକାଠି କରି ଗୋଟିଏ ସଂସ୍ଥା ଗଠନ କରିବାକୁ କେନ୍ଦ୍ର ସରକାର ଅନୁମତି ଦେବାର ଦୁଇବର୍ଷ ପରେ ଏବେ ବୈଷ୍ଣବ ଇଣ୍ଡିଆନ୍ ରେଲ୍ଓ୍ବେ ମ୍ୟାନେଜ୍ମେଣ୍ଟ ସର୍ଭିସ (ଆଇଆର୍ଏମ୍ଏସ୍) ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି। ଏକ କର୍ପୋରେଟ୍ ଆକାଉଣ୍ଟିଂ ସିଷ୍ଟମ ଆରମ୍ଭ କରିବା, ଯାତ୍ରୀ ଓ ମାଲ ଭଡ଼ା ନିର୍ଦ୍ଧାରଣ କରିବାକୁ ଏକ ସ୍ବତନ୍ତ୍ର ରେଳ ନିୟାମକ ଗଠନ କରିବା ଓ ଆଉ କିଛି ସଂସ୍କାରଭିତ୍ତିକ କାର୍ଯ୍ୟ ସହ ଆଇଆର୍ଏମ୍ଏସ୍ ପ୍ରସ୍ତାବ ସ୍ଥଗିତ ରହିଥିଲା। ଆଇଆର୍ଏମ୍ଏସ୍ର ନିଯୁକ୍ତି ୟୁପିଏସ୍ସି ଓ ଅନ୍ୟ ଅଲ୍ ଇଣ୍ଡିଆ ସର୍ଭିସ ଅଫିସର୍ସ ଦ୍ୱାରା ଆୟୋଜିତ ପରୀକ୍ଷା ମାଧ୍ୟମରେ କରାଯିବ। ଏଥିରେ ପ୍ରାର୍ଥୀମାନେ ସେମାନଙ୍କ ବିଶେଷ ଅଧିକାର କ୍ଷେତ୍ର ସମ୍ପର୍କରେ ସୂଚିତ କରିବେ। ତେବେ ନୂଆ ନିଯୁକ୍ତି ନୀତି ସମ୍ପର୍କରେ ସବିଶେଷ ତଥ୍ୟ ଏଯାବତ ଆସିବାକୁ ବାକି ରହିଛି ବୋଲି କୁହାଯାଉଛି। ବର୍ତ୍ତମାନ କାର୍ଯ୍ୟରତ କ୍ଲାସ୍ ଓ୍ବାନ୍ ଅଧିକାରୀମାନଙ୍କର ବରିଷ୍ଠତା, ଦରମା ଏବଂ ପଦୋନ୍ନତି କିପରି ନିର୍ଦ୍ଧାରିତ ହେବ ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ନାହିଁ। ସେଥିପାଇଁ ବୈଷ୍ଣବ, ରେଲ୍ଓ୍ବେ ବୋର୍ଡ ଚେୟାରମ୍ୟାନ୍ ଓ ସିଇଓ ଭି.କେ. ତ୍ରିପାଠୀ ଏବଂ ବରିଷ୍ଠ ରେଲ୍ଓ୍ବେ ଅଧିକାରୀମାନେ ଏ ସମ୍ପର୍କରେ ପ୍ରକାଶ କରିବା ଆବଶ୍ୟକ। ଏପରି କି ରେଲ୍ଓ୍ବେରେ ପ୍ରାଇଭେଟ୍ ସେକ୍ଟର୍କୁ ପ୍ରୋତ୍ସାହିତ କରିବା ଲାଗି ଚୂଡାନ୍ତ ନୀତି ବିଷୟରେ ମଧ୍ୟ ଜଣାଇବାକୁ ପଡ଼ିବ।
Email: dilipcherian@gmail.com