କଟକଣାକୁ ବେଖାତିର: କିମ୍‌ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷା, ଜାପାନ-ଦକ୍ଷିଣ କୋରିଆ ପକ୍ଷରୁ ସତର୍କ ସୂଚନା ଜାରି…

ପ୍ୟୋଙ୍ଗୟାଙ୍ଗ,୧୮।୧୨ : ସୋମବାର ସକାଳେ ଉତ୍ତର କୋରିଆ ପୂର୍ବ ସାଗର ଆଡକୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ଜୋନ୍ହାପ ନ୍ୟୁଜ ଏଜେନ୍ସି ଦକ୍ଷିଣ କୋରିଆ ସେନା ପକ୍ଷରୁ ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ ଉତ୍ତର କୋରିଆ ଏକ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ଜଣାପଡିଛି। ଉତ୍ତର କୋରିଆ ଦ୍ୱାରା ନିକ୍ଷେପ କରାଯାଉଥିବା ଏହି ମିସାଇଲ ଏକ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ବୋଲି କୁହାଯାଉଛି।

କଟକଣାକୁ ବେଖାତିର କରି ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ପୁଣି ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଏହି ଘଟଣାରେ ଏକ ପୋଷ୍ଟ ମଧ୍ୟ କରାଯାଇଛି। ଏଥିରେ କୁହାଯାଇଛି ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ଜାପାନର ଯୁଗ୍ମ ମୁଖ୍ୟ କହିଛନ୍ତି ଆମେ ଉତକ୍ଷେପଣକୁ ଚିହ୍ନଟ କରିଛି। ତଥାପି, ଅଧିକ ବିବରଣୀ ଦେବାକୁ ସେ ମନା କରିଦେଇଛନ୍ତି। ଉତ୍ତର କୋରିଆ ସ୍ଥାନୀୟ ସମୟ ରାତି ପ୍ରାୟ ୧୦ଟା ୩୮ ସମୟରେ ଏକ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ଏବଂ ଏହା ୫୭୦ କିଲୋମିଟର ଦୂରତା ମଧ୍ୟ ଦେଇ ପୂର୍ବ ସାଗରରେ ପଡିଥିଲା। ଏନେଇ ଜାପାନ-ଦକ୍ଷିଣ କୋରିଆ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଉତ୍ତର କୋରିଆ ଦ୍ୱାରା ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଏହି ଅଭ୍ୟାସ ନେଇ ଦକ୍ଷିଣ କୋରିଆର ଡେପୁଟି ନ୍ୟାଶନାଲ ସିକ୍ୟୁରିଟି ପରାମର୍ଶଦାତାକହିଛନ୍ତି ଉତ୍ତର କୋରିଆ ଚଳିତ ମାସରେ ଏକ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) କ୍ଷେପଣାସ୍ତ୍ର ପରୀକ୍ଷା କରିବ।

ଉତ୍ତର କୋରିଆର ଏହି ଶକ୍ତି ପ୍ରଦର୍ଶନ ମଧ୍ୟ ଆମେରିକା ଏବଂ ଦକ୍ଷିଣ କୋରିଆ ପାଇଁ ଏକ ଚେତାବନୀ ଭାବରେ ଦେଖାଯାଉଛି, ଯେଉଁମାନେ ପରମାଣୁ ଯୋଜନା ପ୍ରସ୍ତୁତ କରିବା ବିଷୟରେ ନିକଟରେ ଆଲୋଚନା କରିଛନ୍ତି। କିଛି ଦିନ ପୂର୍ବରୁ ଦକ୍ଷିଣ କୋରିଆ ଏବଂ ଆମେରିକାର ସୈନ୍ୟମାନେ ମଧ୍ୟ ମିଳିତ ସମାରାଭ୍ୟାସରେ ଭାଗ ନେଇଥିଲେ।

Share