ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ୍ ଚାହିଦା ଦିନକୁ ଦିନ ବଢୁଛି। ହେଲେ ସେହି ହାରରେ ଉତ୍ପାଦନ ବୃଦ୍ଧି ପାଉନାହିଁ। ତାପଜ ଭଳି ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଉପରେ ଚାପ ବଢ଼ିଚାଲିଛି। ପ୍ରଦୂଷଣ ମୁକ୍ତ ଅଣପାରମ୍ପରିକ ବିଦ୍ୟୁତ୍ ଉତ୍ପାଦନ ପାଇଁ ସମଗ୍ର ବିଶ୍ୱରେ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜ୍ୟରେ ଏହି ଶକ୍ତି ଉତ୍ପାଦନକୁ ଅଣଦେଖା କରାଯାଉଛି। ପର୍ଯ୍ୟାପ୍ତ ସୁଯୋଗ ଥିବା ସତ୍ତ୍ୱେ ଦୂରଦୃଷ୍ଟି ଅଭାବ ଏବଂ ସରକାରୀ ଉଦାସୀନତା ଯୋଗୁ ରାଜ୍ୟରେ ସୌରଶକ୍ତି ଉତ୍ପାଦନ ବୃଦ୍ଧି ପାଇ ପାରୁ ନାହିଁ। କେବଳ ସେତିକି ନୁହେଁ, ବିଦ୍ୟୁତ୍ ବିତରଣ କମ୍ପାନୀ, ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଓ ଅଧିକ ବିଦ୍ୟୁତ୍ ବ୍ୟବହାର କରୁଥିବା ସଂସ୍ଥା ସେମାନଙ୍କ ଆବଶ୍ୟକତାର କିଛି ପରିମାଣ ଅଣପାରମ୍ପରିକ କ୍ଷେତ୍ରରୁ ଖରିଦ କରି ଆଇନ ଅନୁଯାୟୀ ରିନିଏବୁଲ୍ ପର୍ଚେଜ୍ ଓବ୍ଲିଗେଶନ୍ସ(ଆର୍ପିଓ) ଲକ୍ଷ୍ୟ ପୂରଣ କରିବା କଥା। କିନ୍ତୁ କୌଣସି ସଂସ୍ଥା ଏହାକୁ ମାନୁ ନାହାନ୍ତି। ଅଣପାରମ୍ପରିକ ସୌରଶକ୍ତିକୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ରାଜ୍ୟ ସରକାର ଥର୍ମାଲ ଏନର୍ଜି ବା ତାପଜ ଶକ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ଶକ୍ତି ଚାହିଦା ମେଣ୍ଟାଇବାକୁ ଆଗାମୀ ଦିନରେ ହେବାକୁ ଥିବା ୧୪ଟି ପ୍ରକଳ୍ପ ମଧ୍ୟରୁ ୭ଟି ଥର୍ମାଲ ଏନର୍ଜି ରହିଥିବା ବେଳେ ମାତ୍ର ୩ଟି ସୌରଶକ୍ତି ପ୍ରକଳ୍ପ ଏବଂ ୪ଟି ନନ୍-ସୋଲାର(କ୍ଷୁଦ୍ର ଜଳବିଦ୍ୟୁତ୍ ଶକ୍ତି) ପ୍ରକଳ୍ପ ରହିଛି। ସୋଲାର ପାର୍କ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ମଧ୍ୟ ସେ ଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି।
ଗ୍ରୀଡ୍କୋ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ହାରାହାରି ୩,୮୫୦ ମେଗାଓ୍ବାଟ୍ ବିଜୁଳି ଆବଶ୍ୟକ ହୋଇଥିବାବେଳେ ୩,୭୫୪ ମେଗାଓ୍ବାଟ୍ ଉତ୍ପାଦନ ହେଉଛି। ବିଭିନ୍ନ ସରକାରୀ କମ୍ପାନୀ ବା ସଂସ୍ଥା ଦ୍ୱାରା ୨,୮୫୪ ମେଗାଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଥିବାବେଳେ ବେସରକାରୀ ସଂସ୍ଥା ଦ୍ୱାରା ୯୦୦ ମେଗାଓ୍ବାଟ୍ ଉତ୍ପାଦନ ହେଉଛି। ଗ୍ରୀଡ୍କୋ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକଠାରୁ ଏହି ବଦ୍ୟୁତ୍ କ୍ରୟ କରିଥାଏ। ୨୦୧୯-୨୦ରେ ଗ୍ରୀଡ୍କୋ ମୋଟ ୨୧,୫୫୨ ମେଗା ୟୁନିଟ୍ ବିଦ୍ୟୁତ୍ ଶକ୍ତି ବିଭିନ୍ନ କ୍ଷେତ୍ରରୁ କ୍ରୟ କରିଥିବା ବେଳେ ୩ଟି କେନ୍ଦ୍ରୀୟ ସଂସ୍ଥାଠାରୁ ୨,୯୬୨ ମେଗା ୟୁନିଟ୍ କିଣିଛି। ସୌରଶକ୍ତି ଉତ୍ପାଦନ ପାଇଁ ରାଜ୍ୟରେ ବ୍ୟାପକ ସୁଯୋଗ ଥିଲେ ମଧ୍ୟ ସୋଲାର ପାର୍କ ପ୍ରତିଷ୍ଠା କରିବା ପରିବର୍ତ୍ତେ ରାଜ୍ୟ ସରକାର ବିଦ୍ୟୁତ୍ ଚାହିଦା ମେଣ୍ଟାଇବା ପାଇଁ କେନ୍ଦ୍ର ତଥା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି। କ୍ରମାଗତଭାବେ ଓଡ଼ିଶାରେ ବିଦ୍ୟୁତ୍ ଚାହିଦା ବଢି ଚାଲିଥିବାବେଳେ ୨୦୨୪ ସୁଦ୍ଧା ଏହା ୬୦୦୦ ମେଗାୱାଟ୍ରେ ପହଞ୍ଚତ୍ବ ବୋଲି ଆକଳନ କରାଯାଉଛି। ଏପରି ସ୍ଥଳେ ସରକାର ଯଦି କେବଳ ତାପଜ ଓ ଜଳ ବିଦ୍ୟୁତ୍ ଉପରେ ନିର୍ଭର କରନ୍ତି ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ସୂଚନା ମୁତାବକ, ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ୬,୯୫୯ ମେଗା ୟୁନିଟ୍ରୁ ଊର୍ଦ୍ଧ୍ୱ ବିଦ୍ୟୁତ୍ ଶକ୍ତି ଆବଶ୍ୟକ ହେଉଥିବା ବେଳେ ଘରୋଇ ବ୍ୟବହାର ପାଇଁ ୭,୩୨୮ ମେଗା ୟୁନିଟ୍, କୃଷି କ୍ଷେତ୍ରକୁ ୬୧୪ ମେଗା ୟୁନିଟ୍, ବ୍ୟବସାୟିକ କ୍ଷେତ୍ରକୁ ୧୯୮୨ ମେଗା ୟୁନିଟ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ୨୬୭୬.୭୧୮ ମେଗା ୟୁନିଟ୍ ବିଦ୍ୟୁତ୍ ଆବଶ୍ୟକ ହେଉଛି। ହେଲେ ଏହାମଧ୍ୟରୁ ଅଧିକାଂଶ ଭାଗ ତାପଜ ବିଦ୍ୟୁତ୍ ଶକ୍ତିରୁ ମିଳୁଛି। ଗ୍ରୀଡ୍କୋ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ସର୍ବାଧିକ ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହେଉଛି। ଏହାତଳକୁ ଜଳ ବିଦ୍ୟୁତ୍ ଶକ୍ତି ରହିଥିବା ବେଳେ ଅତି ନଗଣ୍ୟ ସୌରଶକ୍ତି ଉତ୍ପାଦନ ହୋଇପାରୁଛି। ମୋଟ ୪୩୨୦ ମେଗାଓ୍ବାଟ୍ ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହେଉଥିବା ବେଳେ ୨୦୮୩ ମେଗାଓ୍ବାଟ୍ ଜଳବିଦ୍ୟୁତ୍ ଶକ୍ତି, ୩୬୨ ମେଗାଓ୍ବାଟ୍ ସୌରବିଦ୍ୟୁତ୍ ଶକ୍ତି, ୮୧ ମେଗାଓ୍ବାଟ୍ କ୍ଷୁଦ୍ର ଜଳବିଦ୍ୟୁତ୍ ଶକ୍ତି ଏବଂ ୨୦ ମେଗାଓ୍ବାଟ୍ ବାୟୋମାସ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହେଉଛି।
ସେହିଭଳି ୪ ବର୍ଷ ପୂର୍ବେ ଓଡ଼ିଶା ୧୦୦୦ ମେଗାୱାଟ୍ର ସୋଲାର ପାର୍କ ନିର୍ମାଣ ପାଇଁ ଯୋଜନା କରିଥିବାବେଳେ ଜମି ଅଭାବରୁ ଏହା ୨୭୫ ମେଗାୱାଟ୍କୁ ଖସି ଆସିଛି। ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଅଧିକ ସମୟ ନେବା ଯୋଗୁ ଏ କ୍ଷେତ୍ରରେ ଥିବା ସୁଯୋଗକୁ ଓଡ଼ିଶା ହାତଛଡ଼ା କରିଛି। କୃଷି କ୍ଷେତ୍ରରେ ନୂତନ ଓ ଅକ୍ଷୟ ଶକ୍ତିର ପ୍ରୟୋଗ ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ରାଜ୍ୟ ସରକାର ଏକ୍ଷେତ୍ରରେ ବହୁପଛରେ ଅଛନ୍ତି। ରାଜ୍ୟ ରାଜଧାନୀ ସହ ପର୍ଯ୍ୟଟନସ୍ଥଳଗୁଡ଼ିକୁ ସୌରଶକ୍ତି ପରିଚାଳିତ କରିବାକୁ କେନ୍ଦ୍ର ସରକାର କହୁଥିବାବେଳେ ତାହା ଏବେ ବି ପୂରଣ ହୋଇପାରୁ ନାହିଁ। ରାଜ୍ୟ ସରକାର ସୌରଶକ୍ତିକୁ ପ୍ରୋତ୍ସାହନ ଦେଉ ନ ଥିବାରୁ ବିଧାନସଭା ଅଧିବେଶନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଭୁବନେଶ୍ୱରରେ ଗତ ଦୁଇବର୍ଷ ହେବ ଲୋକେ ସୌରଶକ୍ତି ବ୍ୟବହାର କରୁଥିଲେ ହେଁ ସେମାନଙ୍କୁ ପ୍ରୋତ୍ସାହନ କରାଯାଉନାହିଁ। ସୋଲାର ଏନର୍ଜିକୁ ଓଡ଼ିଶାର ଅଫିସରମାନେ ପ୍ରମୋଟ କରୁ ନ ଥିବା ବାଚସ୍ପତି କ୍ଷୋଭ ପ୍ରକାଶ କରିଥିଲେ।