ବ୍ୟାସନଗରର ଯୁବ କ୍ରୀଡ଼ାବିତ୍‌ଙ୍କୁ ଅଣଦେଖା

ଯାଜପୁର,୧୬ା୧୧(ହର୍ଷବର୍ଦ୍ଧନ ବେହେରା) :କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌରପରିଷଦ ଗଠନ ହେବାର ଇତିମଧ୍ୟରେ ୨୯ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। ନିକଟରେ ଏକାଧିକ ଶିଳ୍ପ ଓ ଖଣି ପ୍ରତିଷ୍ଠାନ ଯୋଗୁ ସହରର ଜନସଂଖ୍ୟା ବଢି ଚାଲିଛି। ଅଥଚ ଏହି ସହରର ଯୁବଗୋଷ୍ଠୀଙ୍କ ଖେଳକୁଦ ପାଇଁ ଥିବା ଏକମାତ୍ର ଷ୍ଟାଡିୟମର ବିକାଶ ଯେପରି ହେବା କଥା ତାହା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ।ଏହାସହ ସହରର ରାସ୍ତାଘାଟ, ଡ୍ରେନେଜ, ଫ୍ଲାଏ ଓଭରବ୍ରିଜ, ଗଳିପୋଲ, ଡାକ୍ତରଖାନା, ଉପଖଣ୍ଡ ମାନ୍ୟତା ଇତ୍ୟାଦି ଦାବିଗୁଡିକୁ ଅଣଦେଖା କରାଯାଉଛି। ଏପରି କି ପ୍ରାୟ ୧ ବର୍ଷ ହେବ ଷ୍ଟାଡିୟମ ଭିତରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ଶେଷ ହୋଇଛି। ହେଲେ ବିଭିନ୍ନ ଆଳ ଦେଖାଇ ଉଦଘାଟନ କରାଯାଉନାହିଁ। ଏବେ ସେହି ଷ୍ଟାଡିୟମ ଫାଟକରେ ତାଲା ଝୁଲୁଛି। ଏହାବାଦ୍‌ ଷ୍ଟାଡିୟମ ଏକପ୍ରକାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଯୁବ କ୍ରୀଡାବିତଙ୍କୁ ଅଣଦେଖାରୁ ବିଚ୍ୟୁତ ହୋଇ ଏହି ଷ୍ଟାଡିୟମର ବିକାଶ ପାଇଁ ବନ୍ଦେ ବ୍ୟାସନଗର ଅନୁଷ୍ଠାନ ପକ୍ଷରୁ ୨୧ ଦିନ ହେବ ଅନଶନ ଚାଲିଛି। ହେଲେ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ନୀରବ ରହିବା ଘଟଣା ସହରବାସୀଙ୍କୁ ବ୍ୟଥିତ କରିଛି ।
ଯାଜପୁର ରୋଡ ଏନ୍‌ଏସିକୁ ତା୧୯ା୫ା୧୯୯୪ରିଖରେ ବ୍ୟାସନଗର ପୌରପରିଷଦ ଭାବେ ସ୍ବୀକୃତି ମିଳିଥିଲା। ୨୦୦୮ରୁ ଏହା ୨୬ଟି ୱାର୍ଡରେ ପରିଣତ ହୋଇଛି। ୩୮ ବର୍ଷ ତଳେ ଏଠାରେ ରାଜୀବ ଗାନ୍ଧୀ ନାମରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲାରେ କ୍ରୀଡ଼ାର ବିକାଶ ପାଇଁ ଗ୍ରାମାଞ୍ଚଳଠାରୁ ସହର ପର୍ଯ୍ୟନ୍ତ ବିପୁଳ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ଷ୍ଟାଡିୟମ ପ୍ରତି ପ୍ରଶାସନିକ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଏହାର ପ୍ରତିବାଦରେ ଗତ ୨୪ ତାରିଖରୁ ଜାତୀୟ କ୍ରୀଡ଼ାବିତ ବଜ୍ରବାହୁ ସୀମାନ୍ତ କେଶରୀ ସାମଲଙ୍କ ନେତୃତ୍ୱରେ ପ୍ରତୀକ ଅନଶନ ଏବଂ ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହି ଅନଶନକୁ ସହରର ବିଭିନ୍ନ ସଙ୍ଗଠନ, କ୍ରୀଡ଼ାବିତ, ଛାତ୍ରୀଛାତ୍ର ଓ ବୁଦ୍ଧିଜୀବୀ ସମର୍ଥନ ଜଣାଇ ସାମିଲ ହୋଇଛନ୍ତି । ଦୀର୍ଘ ୨୧ ଦିନରେ ଅନଶନ ଓ ଗଣଧାରଣା ପହଞ୍ଚିଥିବା ବେଳେ ଏହି ଦାବି ପ୍ରତି ଜିଲା ପ୍ରଶାସନ ଓ ଜନପ୍ରତିନିଧି ଦୃଷ୍ଟି ନ ଦେବା ଏବଂ ସମାଧାନ ଦିଗରେ କୌଣସି ପଦକ୍ଷେପ କିମ୍ବା ଆଲୋଚନା କରାଯାଇନାହିଁ। ଏହାକୁ ନେଇ ସମଗ୍ର ସହରରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ବାସ୍ଥ୍ୟସେବା ପାଇଁ ବେସରକାରୀ ଭାବେ ଦେଢ ଲକ୍ଷ ଲୋକଙ୍କ ପାଇଁ ମାତ୍ର ଏକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ସେଠାରେ ଆବଶ୍ୟକ ଡାକ୍ତର ଓ ଯନ୍ତ୍ରପାତି ବି ନାହିଁ। ଜଙ୍ଗଲ କିସମ ଜମି ନାମରେ ବ୍ୟାସନଗରର ହଜାର ହଜାର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ପ୍ରଶାସନ ନ୍ୟାୟ ଦେଇ ପାରୁନାହିଁ ା ଭୂମିହୀନଙ୍କୁ ସରକାରୀ ଜମି ପଟ୍ଟା ମିଳିବା ସ୍ବପ୍ନ ହୋଇଛି।
ଏହି କ୍ରମରେ ବରିଷ୍ଠ ଓକିଲ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ବ୍ୟାସନଗରବାସୀଙ୍କ ପ୍ରତି ଚରମ ଅବହେଳା କରାଯାଉଛି। ସହରବାସୀ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଆମରଣ ଅନଶନ କଲେ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସାମାନ୍ୟତମ ଦୟା ନାହିଁ। କେବଳ ଷ୍ଟାଡିୟମ ନୁହେଁ ରେଳ ଓଭରବ୍ରିଜ, ଗଳି ପୋଲ, ସବ୍‌ଡ଼ିଭିଜନ, ଡାକ୍ତରଖାନା ଓ ରାସ୍ତା ଘାଟରେ ଆମେ ଅବହେଳିତ। ତେଣୁ ସ୍ବତନ୍ତ୍ର କଳିଙ୍ଗନଗର ଜିଲା ଗଠନ ଦାବି ଏକମାତ୍ର ଉପାୟ ହେବ। ତେଣୁ ସମସ୍ତଙ୍କୁ ସାଙ୍ଗରେ ନେଇ ବ୍ୟାସନଗରବାସୀ ବଡ଼ଧରଣର ଆନ୍ଦୋଳନ କରିବାକୁ ସେ ଆହ୍ବାନ କରିଛନ୍ତି। ପୁରାତନ କ୍ରୀଡ଼ାବିତ୍‌ ସମ୍ବିତ ମହାନ୍ତି କୁହନ୍ତି, ଏହି ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ାର ଆୟୋଜନ ହୋଇଥାଏ। ଏହି ପଡ଼ିଆରୁ ଦୂତି ଚାନ୍ଦ, ବାପି ହାଁସଦା ଭଳି ଅନେକ କ୍ରୀଡାବିତ୍‌ ବାହାରିଛନ୍ତି। କିନ୍ତୁ ଦିନକୁ ଦିନ ଏହି ଷ୍ଟାଡିୟମର ଅବସ୍ଥା ଖରାପ ହେବାକୁ ବସିଛି। ତେଣୁ ଏହାର ବିକାଶ ପାଇଁ ଜିଲାପାଳ, ସ୍ଥାନୀୟ ବିଧାୟକ, କ୍ରୀଡା ସଚିବ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। କିନ୍ତୁ ଏହି ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ହୋଇ ପାରୁନାହିଁ। ଏଠାରେ ବିଭିନ୍ନ ଖେଳ ହେବା ଏବେ ଅସମ୍ଭବ ହୋଇ ପଡିଛି। ଡ୍ରେନ ପାଣି ଭିତରକୁ ପଶୁଛି। ଏଠାରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିଲେ ବି ତାକୁ ହସ୍ତାନ୍ତର କରାଯାଇନାହିଁ। ତେଣୁ ଯୁବଗୋଷ୍ଠୀଙ୍କ ଖେଳର ବିକାଶ ପାଇଁ ସମସ୍ତେ ଆଗଭର ହେବା ଉଚିତ ବୋଲି ସେ କହିଛନ୍ତି।

Share