Advertisement

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କଲା ଡଅଁର ସେବା ସମବାୟ ସମିତି

ହାଟଡିହୀ,୧୪।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ସେବା ସମବାୟ ସମିତିର ମ୍ୟାନେଜମେଣ୍ଟ କମିଟିର ବର୍ତ୍ତମାନ ଅବସ୍ଥା/ସ୍ଥିତାବସ୍ଥା ବଜାୟ ରଖିବାକୁ ଗତ ୫ ମାର୍ଚ୍ଚ ୨୦୨୫ ରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ। ଏଥିସହ ପକ୍ଷଭୁକ୍ତଙ୍କ ଠାରୁ ରିପୋର୍ଟ ମାଗିଥିଲେ l ସଭାପତି ଅକ୍ଷୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ପକ୍ଷଭୁକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି ହେବାର ପରଦିନ ଅର୍ଥାତ୍‌ ୬ ମାର୍ଚ୍ଚ ୨୦୨୫ ରେ ପ୍ରଦାନ କରିଥିଲେ । ଅପରପକ୍ଷେ ସମିତି ସମ୍ପାଦକ ଉମାକାନ୍ତ ନାୟକ ସମିତି ଅନୁଦାନ ଉଠାଣ ନିମନ୍ତେ କମିଟି ଉପସଭାପତିଙ୍କ ସ୍ପେସିମେନ ସିଗନେଚର କପି ପ୍ରଦାନ କରିଥିବା ଏକ ଚିଠି (ନଂ ୭୪/୪ ମାର୍ଚ୍ଚ ୨୦୨୫) କେସିସି ବ୍ୟାଙ୍କ ହାଟଡିହୀ ଶାଖା ପରିଚାଳକଙ୍କୁ ଗତ ୧୧ ମାର୍ଚ୍ଚ ୨୦୨୫ ରେ ପ୍ରଦାନ କରିଛନ୍ତି l ଶାଖା ପରିଚାଳକ ରଶ୍ମି ରଞ୍ଜନ ଜେନା କହିଛନ୍ତି, ଅଭିଯୋଗକାରୀ ଅକ୍ଷୟ ଧଳ କରିଥିବା ମାମଲାର ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ପ୍ରଥମେ ପାଇଛନ୍ତି। ୫ ଦିନ ପରେ ସମିତି ସମ୍ପାଦକ କମିଟି ଉପସଭାପତିଙ୍କ ସ୍ପେସିମେନ ସିଗନେଚର ସମ୍ପର୍କିତ ଚିଠି ପ୍ରଦାନ କରିଛନ୍ତି। କମିଟିର ଉପସଭାପତି ସମିତି ସଭାପତି ଦାୟିତ୍ୱ ତୁଲାଇବାକୁ କୌଣସି ନିର୍ଦ୍ଦେଶ ଜାରି ହୋଇନଥିବା ସତ୍ତ୍ୱେ ସମିତି ସମ୍ପାଦକ ଉମାକାନ୍ତ ନାୟକ ବ୍ୟାଙ୍କ ଶାଖା ପରିଚାଳକଙ୍କ ସମେତ ଆନନ୍ଦପୁର ଏଆରସିଏସ ଏବଂ କେନ୍ଦୁଝର ଡିଆରସିଏସଙ୍କୁ କମିଟିର ଉପସଭାପତି ଏବେ ସଭାପତି ଦାୟିତ୍ୱ ତୁଲାଇବା ନିମନ୍ତେ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ସମିତି ସଭାପତି ତଥା ଅଭିଯୋଗକାରୀ ଅକ୍ଷୟ ଧଳ କହିଛନ୍ତି, ମୁଁ କମିଟିର ଡାଇରେକ୍ଟର କିମ୍ବା ସଭାପତି ନୁହେଁ ବୋଲି ସମିତି ସମ୍ପାଦକ କିମ୍ବା ବିଭାଗୀୟ ଅଧିକାରୀ କୌଣସି ଚିଠି ଜାରି କରି ନାହାଁନ୍ତି । ଏପରି ସ୍ଥଳେ ସମିତି ସମ୍ପାଦକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି । କମିଟି ଉପସଭାପତିଙ୍କୁ ସଭାପତି ଭାବେ ଭାବେ ଦର୍ଶାଇ ସମିତି ଅନୁଦାନ ହଡପ ପାଇଁ ମସୁଧା କରି ବ୍ୟାଙ୍କକୁ ଚିଠି ପ୍ରଦାନ କରିଛନ୍ତି l ତେଣୁ ଏ ବାବଦରେ ମାନ୍ୟବର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବି l

ସୂଚନା ଯୋଗ୍ୟ, ଡଅଁର ସମିତିରୁ ୯ ଜଣ ଡାଇରେକ୍ଟରଙ୍କ ସଦସ୍ୟତା ନୂତନ ସମବାୟ ସମିତି କଳିଙ୍ଗା ଏବଂ ଗେଡ଼ମାକୁ ସ୍ଥାନାନ୍ତର ହୋଇଥିଲା l ଗତ ୯ ଜୁନ ୨୦୨୩ ରେ ଡଅଁର ସମିତିରୁ ନୂତନ ସମିତିକୁ ସଦସ୍ୟତା ସ୍ଥାନାନ୍ତର ହେବା ପରେ ମଧ୍ୟ ଦୀର୍ଘ ମାସ ମାସ ଧରି ଡାଇରେକ୍ଟରମାନେ ଡଅଁର ସମିତିର ମ୍ୟାନେଜମେଣ୍ଟ କମିଟିରେ କାର୍ଯ୍ୟ କରୁଥିଲେ l ସମ୍ପୃକ୍ତ ୯ ଜଣଙ୍କ ମଧ୍ୟରୁ ଅକ୍ଷୟ ଧଳ ନିର୍ବାଚିତ ସଭାପତି ଭାବେ ୨୯ ଜୁନ ୨୦୨୨ରୁ ଦାୟିତ୍ୱ ତୁଲାଉଥିଲେ । କିନ୍ତୁ ପ୍ରାୟ ଦେଢ଼ ବର୍ଷ ବିଳମ୍ବରେ ଚଳିତ ବର୍ଷ ଗତ ଜାନୁୟାରୀ ୧୮ରେ ଡଅଁର ସମିତି ସମ୍ପାଦକ ଉମାକାନ୍ତ ନାୟକ ଘଟଣାକୁ ନେଇ ଆପତ୍ତି ଉଠାଇବାରୁ ବିବାଦ ତୀବ୍ର ହୋଇଥିଲା l ପରେ ଘଟଣା ସମ୍ପର୍କରେ ରାଜ୍ୟ ଆରସିଏସ(ରେଜିଷ୍ଟାର ଅଫ କୋ-ଅପରେଟିଭ ସୋସାଇଟ୍ସ) କାର୍ଯ୍ୟାଳୟ ତରଫରୁ ୨୯ ସେପ୍ଟେମ୍ବର ୨୦୨୩ ରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ପୁନଶ୍ଚ ଚିଠି ନଂ ୨୧୮୨/୩ ଫେବୃୟାରୀ ୨୦୨୫ ରେ କେନ୍ଦୁଝର ଡିଆରସିଏସଙ୍କୁ ଏକ ରିପୋର୍ଟ ମଗାଯାଇଥିଲା l ଫଳରେ ନୂତନ ସମବାୟ ସମିତି କଳିଙ୍ଗା ଏବଂ ଗେଡ଼ମାରୁ ସମ୍ପୃକ୍ତ ୯ ଜଣ ଡାଇରେକ୍ଟରଙ୍କର ସଦସ୍ୟତା ପୂର୍ବ ତଥା ଡଅଁର ସମବାୟ ସମିତିକୁ ସ୍ଥାନାନ୍ତର ହୋଇଥିଲା । କିନ୍ତୁ ଏହି ସଦସ୍ୟତାକୁ ଡଅଁର ସମିତି ତରଫରୁ ଗ୍ରହଣ ହୋଇନି l