କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): ଦଳୀୟ କାର୍ଯ୍ୟକ୍ରମରୁ ବାହାରି ନିଜସ୍ବ ପଦଯାତ୍ରା କରିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ୍ ରାଏ। କଲେଜ ଛକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ବାହାରି ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟଠାରେ ନିଜ ସମର୍ଥକମାନଙ୍କୁ ନେଇ ସେ ପହଞ୍ଚତ୍ଥିଲେ। ଏହି ପଦଯାତ୍ରା ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି। ମଙ୍ଗଳବାର ନେତାଜୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ କଟକ ସହରରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା, ହେଲେ ସେଠାରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଏନେଇ ଅରିନ୍ଦମ୍ କହିଛନ୍ତି, ନେତାଜୀଙ୍କ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଏକାଠି କରିବା ପାଇଁ ଏହା ତାଙ୍କର ଏକ ପ୍ରୟାସ। ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କାର୍ଯ୍ୟ କରୁଛନ୍ତି। ଏହି ଶୋଭାଯାତ୍ରା ତୁଳସୀ ଫାଉଣ୍ଡେଶନ ପକ୍ଷରୁ କରାଯାଉଛି ଓ ଏବେ ସେ ବିଜେଡିରେ ଅଛନ୍ତି। ଦଳ ପକ୍ଷରୁ ଯେତେବେଳେ ତାଙ୍କୁ ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଡାକରା ଆସିଥାଏ, ସେ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତି। ଏପରିକି ଯେଉଁଠି ଦଳର ଶୋଭାଯାତ୍ରା ହୋଇଥାଏ, ସେଠାକୁ ସେ ଯାଇଥାଆନ୍ତି। ହେଲେ ଏବେ ଯୁବ ଓ ଛାତ୍ରଙ୍କ ଶୋଭାଯାତ୍ରା କରାଯାଇଛି। ସେ ଯୁବରେ ନାହାନ୍ତି କିମ୍ବା ଛାତ୍ର ରଖି ନାହାନ୍ତି। ସେ ଶୋଭାଯାତ୍ରା କେବଳ ଯୁବ ଓ ଛାତ୍ରଙ୍କୁ ନେଇ କରାଇଛନ୍ତି ବୋଲି ଅରିନ୍ଦମ୍ କହିଛନ୍ତି।