ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

କେନ୍ଦୁଝର,୨୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଓ ଗୋହାଲଡିହି ରେଲୱେ ଷ୍ଟେଶନକୁ ପ୍ରବେଶ କରୁଥିବା ମୁଖ୍ୟ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ସ୍ଥାନୀୟ ଲୋକେ ରାସ୍ତା ମରାମତି ପାଇଁ ଅଭିଯୋଗ କରିଆସୁଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉନି। ଫଳରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ସାରା ଖାଲଖମା ସୃଷ୍ଟି ହୋଇ ସାମାନ୍ୟ ବର୍ଷାରେ ପାଣିଜମି ପୋଖରୀ ଭ୍ରମ ସୃଷ୍ଟି ହୋଇଛି। ଫଳରେ ଗମନାଗମନରେ ବାଧା ଉପୁଜୁଛି। ସ୍କୁଲ କଲେଜ ସମେତ ରେଲୱେ ଷ୍ଟେଶନକୁ ଲୋକେ ଯାଆସ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏପରି କି ରାସ୍ତା ଖରାପ ଯୋଗୁ ଛୋଟ ବଡ ଗାଡି ନେଇ ଗଲାବେଳେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପଞ୍ଚାୟତକୁ ରାସନ ଓ ଅନ୍ୟାନ୍ୟ କାମରେ ଯିବାକୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଗ୍ରାମର ଯାଦବ ଟୁଡୁ, ସଞ୍ଜିତ ମାଝୀ, ଜଗସଂଯୋଗ ଡୁଟୁ, ମାନସ ମାଝୀ, ଆକାଶ ମାଝୀ ଯୁବକମାନଙ୍କ ଉଦ୍ୟମରେ ଝୁଡି, କୋଦାଳ ଧରି ଖାଲଖମା ଗୁଡିକୁ ମାଟି, ମୋରମ, ପଥର ପକାଇ ସମତୁଲ କରିଥିଲେ। ଯୁବକଙ୍କ କାର୍ଯ୍ୟକୁ ବୁଦ୍ଧିଜୀବୀ ମୋହଲରେ ପ୍ରସଂଶା କରାଯାଇଛି। ତୁରନ୍ତ ରାସ୍ତା ମରାମତି କରାଯିବାକୁ ଦାବି ହେଉଛି।