Categories: ଜାତୀୟ

ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅଣଦେଖା, ପୁଣି ଚାଲିଲା କ୍ଷମତା ଲଢ଼େଇ…

ବେଙ୍ଗାଲୁରୁ,୪।୧୧ : ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମହାସଚିବ ରଣଦୀପ ସୁରଜେୱାଲା ଦଳର ବିଧାୟକ, ନେତା ଓ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଇଛନ୍ତି କର୍ନାଟକରେ କ୍ୟାବିନେଟ ପୁନର୍ଗଠନ ଏବଂ ନେତୃତ୍ୱ ପରିବର୍ତ୍ତନ ଭଳି ପ୍ରସଙ୍ଗରେ ଜନସାଧାରଣଙ୍କୁ ମତାମତ ନ ଦିଅନ୍ତୁ, ଯଦି ସେମାନେ ଏପରି କରନ୍ତି ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। କିନ୍ତୁ, ରାଜ୍ୟରେ ହାଇକମାଣ୍ଡଙ୍କ ଏହି ଚେତାବନୀ ରାଜ୍ୟ କଂଗ୍ରେସ ନେତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ସୁରଜେୱାଲାଙ୍କ ଚେତାବନୀ ଦେବାର ମାତ୍ର ୨୪ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଦାବି କରିଛନ୍ତି ସେ ସମ୍ପୂର୍ଣ୍ଣ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବେ। ଏହା ପୂର୍ବରୁ ରାମନଗରରୁ କଂଗ୍ରେସ ବିଧାୟକ ଇକବାଲ ହୁସେନ ତାଙ୍କୁ ବିରୋଧ କରି କହିଥିଲେ ଉପ-ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ୟୁନିଟ ସଭାପତି ଡି.କେ ଶିବକୁମାର ଦେଢ଼ବର୍ଷ ପରେ ମୁଖ୍ୟମନ୍ତ୍ରୀ ହେବେ। ଫଳରେ ରାଜ୍ୟରେ ପୁଣି ଚାଲିଲା କ୍ଷମତା ଲଢ଼େଇ ଆରମ୍ଭ ହୋଇଛି।

ରିପୋର୍ଟ ଅନୁଯାୟୀ, ବିଧାନସଭା ନିର୍ବାଚନରେ ପୂର୍ବତନ ସିଏମ ଏଚ କୁମାରସ୍ବାମୀଙ୍କ ପୁଅ ନିଖିଲଙ୍କୁ ପରାସ୍ତ କରିଥିବା ହୁସେନ କହିଛନ୍ତି କେପିସି ସଭାପତି ଭାବରେ ଶିବକୁମାର କେବଳ ତୃଣମୂଳ ସ୍ତରରେ ଦଳକୁ ଗଠନ କରିନାହାଁନ୍ତି ବରଂ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ସୃଷ୍ଟି କରିଛନ୍ତି। ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟରେ ସେ ଅନ୍ୟ କୌଣସି ନେତାଙ୍କ ଅପେକ୍ଷା ତାଙ୍କର ଅଧିକ ଅବଦାନ ରହିଛି। ସେ ମଧ୍ୟ ଅନେକ କିଛି ବଳିଦାନ ଦେଇଛନ୍ତି। ତେଣୁ ସେ ମୁଖ୍ୟମନ୍ତ୍ରୀ ହେବା ସ୍ବାଭାବିକ। ଏଆଇସିସି ମହାସଚିବ କେସି ଭେନୁଗୋପାଲ, କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏବଂ ସିଏମ ସିଦ୍ଦରାମାୟାଙ୍କ ସହ ରାଜ୍ୟ ତଥା ସରକାରଙ୍କ ସମ୍ପର୍କ ତଥା ୨୦୨୪ ଲୋକସଭା ପାଇଁ ପ୍ରସ୍ତୁତି ବୈଠକ ପରେ ସୁରଜେୱାଲା ଏଭଳି ଧମକ ଭରା  ମନ୍ତବ୍ୟ ଦେଇଥିଲେ।

 

Share