ତଦନ୍ତ ଅବହେଳା ଅଭିଯୋଗ ଆଣିଲେ ପିହୁଙ୍କ ମା’

ଭୁବନେଶ୍ୱର,୩୦।୧(ବ୍ୟୁରୋ): ‘ମୋ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲି। ହେଲେ ଥାନାରେ ମାମଲା ରୁଜୁ ନ କରି ଓଲଟା ତମେ ଯାଅ ଖୋଜାଖୋଜି କରିବ ବୋଲି କହିଲେ। ୫ଦିନ ପରେ ମାମଲା ରୁଜୁ କରି ତଦନ୍ତ ନାଁରେ ଥରେ ଅଧେ ବୁଲିପଡି ପଲାଇଲେ। ଏନେଇ ଏସ୍‌ପି , କଲେକ୍ଟର ସମସ୍ତଙ୍କ ଦ୍ୱାରସ୍ଥ ହୋଇ ନେହୁରା ହେଲି, ହେଲେ କିଛି ଲାଭ ମିଳିଲା ନାହିଁ। ମୋ ଝିଅ ଏବେ କେଉଁଠି, କେମିତି ଅଛି। ମୋ ଝିଅ ମୋତେ ଫେରାଇଦିଅ ବୋଲି ଯାଜପୁରର ନିଖୋଜ ଶିଶୁ ପିହୁର ମା’ କୋହଭରା କଣ୍ଠରେ କହିଛନ୍ତି। ଶୁକ୍ରବାର ମୋନାଲିସା ନାୟକଙ୍କ ସମେତ ପିହୁର ପରିବାର ଲୋକେ ପ୍ରଥମେ ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବସିଥିଲେ। ହେଲେ ମନ୍ତ୍ରୀଙ୍କ ସାକ୍ଷାତ୍‌ ନ ମିଳିବାରୁ ସେଠାରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌)ଙ୍କୁ ଭେଟି ପୋଲିସ ବିରୋଧରେ ଏପରି ଗୁରୁତର ଅଭିଯୋଗ ଆଣିବା ସହ ଝିଅକୁ ଖୋଜିଦେବାକୁ ନେହୁରା ହୋଇଛନ୍ତି।
ତଦନ୍ତ ଅବହେଳା ଅଭିଯୋଗ ସଂକ୍ରାନ୍ତରେ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ଘଟଣାକୁ ଆମେ ଗୁରୁତ୍ୱର ଭାବେ ନେଇଛୁ। ଏ ସମ୍ପର୍କରେ ମୁଁ ଯାଜପୁର ଏସ୍‌ପିଙ୍କ ସହ ଆଲୋଚନା କରିବା ସହ କ୍ରାଇମବ୍ରାଞ୍ଚ ଆଇଜିଙ୍କ ସହ କଥା ହୋଇଛି। କୁନି ଝିଅଟିକୁ ଉଦ୍ଧାର କରିବା ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଏକ ଟିମ୍‌ ବାହାର ରାଜ୍ୟକୁ ଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ କରିବାରେ ବିଳମ୍ବ କରିଥିବାରୁ ତାଗିଦ୍‌ କରାଯାଇଛି। ଏସ୍‌ପିଙ୍କୁ ରିପୋର୍ଟ ମଗାଯାଇଛି। ତଦନ୍ତରେ ହେଳା କରାଯାଇଥିଲେ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧ୍ୟକ୍ଷା ପ୍ରଧାନ କହିଛନ୍ତି।
ଯାଜପୁର ଜିଲା ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ୨ ବର୍ଷର ଶିଶୁକନ୍ୟା ପିହୁ ନିଖୋଜକୁ ୫ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ତା’ର ପତ୍ତା ପାଇପାରୁନାହିଁ। ଗତ ଅଗଷ୍ଟ ୯ରେ ପିହୁ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ୧୪ ତାରିଖରେ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆଳରେ ଚୁପ୍‌ ବସିଥିଲା। ଥାନାରୁ ନିରାଶ ହେବା ପରେ ପରିବାର ଲୋକେ ଜିଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଥିଲେ। ଏସ୍‌ପିଙ୍କ ସହିତ ଆଲୋଚନା କରି ପିହୁକୁ ଖୋଜି ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ କିଛି ସୁଫଳ ମିଳି ନ ଥିବାରୁ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

Share