ହୋଇପାରୁନାହିଁ ଆଇଆଇସି ନିଯୁକ୍ତି

କଟକ ଅଫିସ,୧୧ା୧୧: କମିଶନରେଟ୍‌ ପୋଲିସ ଅଧୀନ କଟକ ପୂର୍ବାଞ୍ଚଳର ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ସିଆର୍‌ଆର୍‌ଆଇ) ଥାନା ଉଦ୍‌ଘାଟନ ହେବାର ୨ ମାସ ବିତିଲାଣି। ହେଲେ ଏଠାରେ ଅଦ୍ୟାବଧି ଆଇଆଇସି ନିଯୁକ୍ତି ହୋଇନାହାନ୍ତି। ପୂର୍ବରୁ ଫାଣ୍ଡି ଥିବାବେଳେ ଯେପରି ଚାଉଳିଆଗଞ୍ଜ ଥାନା ଅଧୀନରେ ଏହା ପରିଚାଳିତ ହେଉଥିଲା ସେହିପରି ଏବେ ବି ଚାଉଳିଆଗଞ୍ଜ ଆଇଆଇସି ଏହି ଥାନାର ଦାୟିତ୍ୱରେ ରହିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସହର ଉପକଣ୍ଠ ବିଦ୍ୟାଧରପୁରଠାରେ ଚାଉଳିଆଗଞ୍ଜ ଥାନା ଅଧୀନରେ ସିଆର୍‌ଆର୍‌ଆଇ ଫାଣ୍ଡି ରହିଥିଲା। ବିଦ୍ୟାଧରପୁର ଅଞ୍ଚଳରୁ ଲୋକମାନେ ଚାଉଳିଆଗଞ୍ଜ ଥାନାକୁ ଯିବାଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଚାଉଳିଆଗଞ୍ଜ ଥାନା ଅଞ୍ଚଳ ବ୍ୟାପକ ହୋଇଥିବାରୁ ଏହି ଥାନା ଉପରେ ମାମଲା ତଦନ୍ତ ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ପାଇଁ ବହୁ ଚାପ ରହୁଥିଲା। ଏପରି କି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କାରଣରୁ ଜାତୀୟ ରାଜପଥରେ ଘଟୁଥିବା ମାମଲା ଏହା ପାଇଁ ଅତିରିକ୍ତ ଚାପ ଥିଲା। ସ୍ଥାନୀୟ ଲୋକମାନେ ବିଦ୍ୟାଧରପୁରରେ ଏକ ଥାନା ପ୍ରତିଷ୍ଠା ନିମନ୍ତେ ଦାବି କରିଆସୁଥିଲେ। ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ସିଆର୍‌ଆର୍‌ଆଇ ଫାଣ୍ଡିକୁ ଥାନାରେ ପରିଣତ କରିବାକୁ ବିଭାଗୀୟ ନିଷ୍ପତ୍ତି ହୋଇଥିଲା। ଏଥିସହ ଥାନାର ନିଜସ୍ବ କୋଠା ନିର୍ମାଣ କରାଯାଇଥିଲା। କୋଠା ନିର୍ମାଣ ଶେଷ ହୋଇ ୮ ମାସ ବିତିବା ପରେ ବି ଥାନା ଉଦ୍‌ଘାଟନ ହୋଇପାରୁ ନ ଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶେଷରେ ଗତ ସେପ୍ଟେମ୍ବର ୭ରେ ଡିଜିପି ସୁନୀଲ ବଂଶଲ ସିଆର୍‌ଆର୍‌ଆଇ ଥାନାକୁ ଉଦ୍‌ଘାଟନ କରିଥିଲେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସିଏମ୍‌ସି ମେୟର ସୁବାସ ସିଂ, ବିଧାୟକ ସୌଭିକ୍‌ ବିଶ୍ୱାଳ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଘାଟନ ପରେ ସିଆର୍‌ଆର୍‌ଆଇ ଥାନାରେ ଇନ୍ସପେକ୍ଟର ପଦବୀ ଅଦ୍ୟାବଧି ଫାଙ୍କା ରହିଛି। ଏହାର ଦାୟିତ୍ୱରେ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କୁ ରଖାଯାଇଛି। ଅପରପକ୍ଷରେ ୨ ଜଣ ଏସ୍‌ଆଇ, ୨ ଜଣ ଏଏସ୍‌ଆଇ, ଜଣେ ହାବିଲଦାର, ୭ କନଷ୍ଟେବଳ, ୫ ଜଣ ହୋମାଗାର୍ଡ କାର୍ଯ୍ୟରତ ଅଛନ୍ତି। ଥାନାର ମୁଖ୍ୟ ଭାବେ ଆଇଆଇସିଙ୍କ ଅଭାବକୁ ସ୍ଥାନୀୟ ଅଧିବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏ ସମ୍ପର୍କରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଖୁବ୍‌ଶୀଘ୍ର ଆଇଆଇସି ନିଯୁକ୍ତି କରାଯିବ।

Share