ଉମରକୋଟ,୧୧ା୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନାର ଅତିରିକ୍ତ ଥାନାଧିକାରୀ (ଆଇଆଇସି) ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅତିରିକ୍ତ ଥାନାଧିକାରୀ ଲିମରାଜ ପ୍ରଧାନ ଏକ ପୁରୁଣା କେସ୍କୁ କୋହଳ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରବିବାର ରାତିରେ ଲିମରାଜ ପ୍ରଧାନଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ। ନବରଙ୍ଗପୁର ଭିଜିଲାନ୍ସ ବିଭାଗ ନେତୃତ୍ୱରେ ମାଲକାନଗିରି ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ। ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଥାନା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଦୌଡ଼ି ପଳାଉଥିବା ବେଳେ ଲିମରାଜଙ୍କୁ କାବୁ କରିଛି ଭିଜିଲାନ୍ସ। ମାଲକାନଗିରି ଭିଜିଲାନ୍ସ ଡିଏସ୍ପି ସୁଶାନ୍ତ କୁମାର ବିଶ୍ୱାଳ ଲିମରାଜଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।
ଏହି ଟିମ୍ରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣ ସାମିଲ ଥିଲେ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। କିଛି ଦିନ ପୂର୍ବରୁ ଲିମରାଜ ପ୍ରଧାନ ଖାତୀଗୁଡ଼ା ଥାନାକୁ ବଦଳି ହୋଇଥିଲେ। ରାତି ପାହିଥିଲେ ମିଳିଥାନ୍ତା ପଦୋନ୍ନତି। ଅତିରିକ୍ତ ଥାନା ଅଧିକାରୀରୁ ହୋଇଥାନ୍ତେ ଥାନା ଆଇଆଇସି। କିନ୍ତୁ ତା’ ପୂର୍ବରୁ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିନେଇଛି।