ଭୁବନେଶ୍ୱର,୧୬।୭(ବ୍ୟୁରୋ): ସୋନପୁର କାର୍ ଦୁର୍ଘଟଣା ମାମଲାରେ ଓଡ଼ିଶା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇଆଇସି ସ୍ନିଗ୍ଧାରାଣୀ ସୁନାଙ୍କୁ ନିଲମ୍ବିତ କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ତାଙ୍କୁ ଶନିବାର ନିଲମ୍ବିତ କରିଥିବା ଜଣାପଡ଼ିଛି।
କହିରଖୁଛୁ, ପୁରୀରୁ ସୁନାବେଶ ଡ୍ୟୁଟିସାରି ଫେରିବା ବେଳେ ଆଇଆଇସି ସ୍ନିଗ୍ଧାରାଣୀଙ୍କ ନାମରେ ଥିବା କାର୍ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ପୋଲିସ ଅଧିକାରୀଜଣଙ୍କ ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲୋକମାନଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୋଲିସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।