Categories: ବାଣିଜ୍ୟ

ମାର୍ଚ୍ଚରେ ଖସିଲା ଆଇଆଇପି ଅଭିବୃଦ୍ଧି

ଭୁବନେଶ୍ୱର,୧୧।୫ (ଅନୁରାଧା ମହାରଣା): ଦେଶରେ ଶିଳ୍ପ ଉତ୍ପାଦନର ଗତି ମନ୍ଥର ହୋଇଯାଇଛି। ଇଣ୍ଡେକ୍ସ ଅଫ୍‌ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ (ଆଇଆଇପି)ର ତଥ୍ୟ ଅନୁଯାୟୀ, ୨୦୨୪ ମାର୍ଚ୍ଚରେ ଶିଳ୍ପ ଉତ୍ପାଦନର ଅଭିବୃଦ୍ଧି ହାର ୪.୯ ପ୍ରତିଶତ ହୋଇଛି। ଫେବୃଆରୀରେ ଏହି ଅଭିବୃଦ୍ଧି ହାର ୫.୭ ପ୍ରତିଶତ ରହିଥିଲା। ସେହିପରି ୨୦୨୩ ମାର୍ଚ୍ଚରେ ଆଇଆଇପି ଅଭିବୃଦ୍ଧି ହାର ୧.୯ ପ୍ରତିଶତ ଥିଲା। ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଶିଳ୍ପ ଉତ୍ପାଦନର ଅଭିବୃଦ୍ଧି ହାର ତଥ୍ୟ ଅନୁସାରେ ୨୦୨୪ ମାର୍ଚ୍ଚରେ ଖଣି କ୍ଷେତ୍ରରେ ଅଭିବୃଦ୍ଧି ହାର ୧.୨ ପ୍ରତିଶତ ଦେଖାଇଥିବାବେଳେ ଫେବୃଆରୀରେ ଏହି କ୍ଷେତ୍ର ୮ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା। ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ୫.୨ ପ୍ରତିଶତ ହୋଇଛି, ଯାହାକି ପୂର୍ବ ମାସରେ ୫ ପ୍ରତିଶତ ଥିଲା। ସେହିପରି ବିଦ୍ୟୁତ୍‌ କ୍ଷେତ୍ରର ଅଭିବୃଦ୍ଧି ହାର ୮.୬ ପ୍ରତିଶତ ରହିଛି। ଯାହା ଫେବୃଆରୀରେ ୭.୫ ପ୍ରତିଶତ ଥିଲା। ଖଣି କ୍ଷେତ୍ରରେ ଉତ୍ପାଦନରେ ହ୍ରାସ ହେତୁ ମାର୍ଚ୍ଚ ମାସରେ ଆଇଆଇପି ଅଭିବୃଦ୍ଧି ହାର ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଇଆଇପି ଅଭିବୃଦ୍ଧି ହାର ୫.୮ ପ୍ରତିଶତ ରହିଛି। ପୂର୍ବ ଆର୍ଥିକ ବର୍ଷରେ ଏହା ୫.୨ ପ୍ରତିଶତ ଥିଲା। ମନ୍ତ୍ରଣାଳୟ କହିଛି, ସମଗ୍ର ବର୍ଷରେ ଖଣିରେ ୭.୫ ପ୍ରତିଶତ ଅଭିବୃଦ୍ଧି, ଉତ୍ପାଦନ କ୍ଷେତ୍ରରେ ୫.୫ ପ୍ରତିଶତ ଅଭିବୃଦ୍ଧି ଏବଂ ବିଦ୍ୟୁତ୍‌ କ୍ଷେତ୍ରରେ ୭.୧ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି। ଆଇଆଇପି ତଥ୍ୟ ନେଇ ଅର୍ଥନୀତି ବିଶେଷଜ୍ଞ କହିଛନ୍ତି, ୨୦୨୩-୨୪ର ଶେଷ ମାସରେ ଆଇଆଇପି ଅଭିବୃଦ୍ଧି ହାର ଆନୁମାନିକ ୫.୬ ପ୍ରତିଶତରୁ ୪.୯ ପ୍ରତିଶତକୁ ଖସି ଆସିଛି। ଉତ୍ପାଦନ ଏବଂ ବିଦ୍ୟୁତ୍‌ କ୍ଷେତ୍ରର ଅଭିବୃଦ୍ଧି ତ୍ୱରାନ୍ବିତ ହୋଇଥିବାବେଳେ ଖଣି ଉତ୍ପାଦନର ଗତି ମନ୍ଥର ହୋଇଯାଇଛି। ଗ୍ରାହକ ସ୍ଥାୟୀ ସାମଗ୍ରୀର ଉତ୍ପାଦନ ୯.୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୨ ମାସ ହ୍ରାସ ପରେ ଅଣ ଗ୍ରାହକ ସ୍ଥାୟୀ ସାମଗ୍ରୀର ଉତ୍ପାଦନ ୪.୯ ପ୍ରତିଶତ ବୃଦ୍ଧି ପାଇଛି। ଆଗାମୀ ଦିନରେ ଏହା ଉପରେ ନଜର ରଖିବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି।

Share