ଉଦାହରଣ ସୃଷ୍ଟିକଲା ଆଇଆଇଟି ଭୁବନେଶ୍ୱର

ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ବୋର୍ଡଗୁଡ଼ିକ ପକ୍ଷରୁ ପରୀକ୍ଷା ବାତିଲ କରାଯାଉଥିବାବେଳେ ଅନ୍‌ଲାଇନ୍‌ରେ ସଫଳତାର ସହ ପରୀକ୍ଷା କରି ଉଦାହରଣ ସୃଷ୍ଟି କରିଛି ଆଇଆଇଟି ଭୁବନେଶ୍ୱର। ଏହାର ଶେଷବର୍ଷ ଛାତ୍ରୀଛାତ୍ରଙ୍କ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ ପାଠ୍ୟକ୍ରମରେ ଶତପ୍ରତିଶତ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଚଳିତବର୍ଷ ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରୀଛାତ୍ରଙ୍କୁ ଠିକ୍‌ ସମୟରେ ଗ୍ରାଜୁଏଶନ ସାର୍ଟିଫିକେଟ୍‌ ଦେବାକୁ ଆଇଆଇଟି ଏହି ଅନ୍‌ଲାଇନ୍‌ ପରୀକ୍ଷା କରିଛି। ଜୁନ୍‌ ୨୪ରୁ ପରୀକ୍ଷା ଆରମ୍ଭ ହୋଇ ୩୦ରେ ଶେଷ ହୋଇଛି। ବି.ଟେକ୍‌ରେ ସମସ୍ତ ୨୦୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ଡୁଆଲ୍‌ ଡିଗ୍ରୀରେ ୩୬, ଏମ୍‌ଏସ୍‌ସିରେ ୭୫, ଏମ୍‌ଟେକ୍‌ରେ ୧୬୭ ଓ ପିଏଚ୍‌ଡିରେ ୪୨ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି।
କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ପରୀକ୍ଷା କରା ନ ଯାଇ ଆଇଆଇଟି ଭୁବନେଶ୍ୱରର ନିଜସ୍ବ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍ଲାଟ୍‌ଫର୍ମ ତଥା ଭର୍ଚୁଆଲ୍‌ ଏକ୍‌ଜାମିନେଶନ ହଲ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଛାତ୍ରୀଛାତ୍ର ନିଜ ଘରେ ବସି ପରୀକ୍ଷା ଦେଇଥିଲେ। କପି ରୋକିବା ଲାଗି ସ୍ବତନ୍ତ୍ରଭାବେ ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ ରହିଥିଲା। ମେ’ ୯ରେ ଏହି ପରୀକ୍ଷା ଲାଗି ଦେଶରୁ ୨୪୦ଜଣ ଛାତ୍ରୀଛାତ୍ର, ୩୧ଟି ବିଷୟର ପ୍ରଶ୍ନପତ୍ର ଏବଂ ୨୦ଜଣ ପରୀକ୍ଷା ନିରୀକ୍ଷକଙ୍କୁ ନେଇ ଏକ ମକ୍‌ ଟେଷ୍ଟ୍‌ ସଫଳତାର ସହ କରାଯାଇଥିଲା। ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଆର୍‌.ଭି. ରାଜାକୁମାର ଏହି ଭର୍ଚୁଆଲ୍‌ ଏକ୍‌ଜାମିନେଶନ ହଲ୍‌ର କନ୍‌ସେପ୍ଟ ଡିଜାଇନ୍‌ କରିଥିବାବେଳେ କମ୍ପ୍ୟୁଟର ଓ ଆଇଟି ସର୍ଭିସ୍‌ ସେଲ୍‌ ଏହାକୁ ପ୍ରସ୍ତୁତ କରିଥିଲା। ଏହାଦ୍ୱାରା ଏଭଳି ମହାମାରୀ ସମୟରେ ମଧ୍ୟ ପରୀକ୍ଷା କରାଯାଇପାରିଥିବା ନିର୍ଦ୍ଦେଶକ ରାଜାକୁମାର କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଏହା ଏକ ଉତ୍କୃଷ୍ଟ ଉଦାହରଣ ଓ ଅନ୍ୟମାନେ ମଧ୍ୟ ଏହି ମଡେଲକୁ ଅନୁକରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

Share