ବମ୍ବେ,୩।୧୦: ଭାରତର ଅନ୍ୟତମ ପ୍ରମୁଖ ଇଞ୍ଜିନିୟରିଂ କଲେଜ ଆଇଆଇଟି ବମ୍ବେ ଏହାର ଫୁଡ୍ ପଲିସି(ଖାଦ୍ୟ ନୀତି ) ପାଇଁ ଚର୍ଚ୍ଚାର ପରିସରକୁ ଆସିଛି। କଲେଜ୍ ହଷ୍ଟେଲରେ ଆମିଷ ଖାଇବାକୁ ନେଇ ଛାତ୍ରମାନଙ୍କଠାରୁ ୧୦,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଛାତ୍ରମାନେ କଲେଜରେ ଖାଇବାକୁ ନେଇ ଥିବା ନିୟମ ଅନୁସରଣ କରୁନଥିବା ଅଭିଯୋଗ ହୋଇଛି।
ଆଇଆଇଟି ବମ୍ବେର ହଷ୍ଟେଲରେ ନିରାମିଷ ଖାଦ୍ୟ ଖାଇବା ଲାଗି ଏକ ଭିନ୍ନ ଟେବୁଲ ରହିଛି। ଏହି ଟେବୁଲରେ ଆମିଷ ଖାଦ୍ୟ ଖାଇବା ଲାଗି ଛାତ୍ରମାନଙ୍କୁ ଜରିମାନା କରାଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ କଲେଜର ନିୟମ ଉପରେ ପ୍ରଶ୍ନ ଉଠାଯାଉଛି।ଆମ୍ବେଦକର ପେରିଅର ଫୁଲେ ଷ୍ଟଡି ସର୍କଲ(ଏପିପିଏସସି) ସହିତ ଜଡିତ ଛାତ୍ରମାନେ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି କଲେଜ ନିୟମକୁ ମଧ୍ୟ ବିରୋଧ କରିଛନ୍ତି।
ଅପରପକ୍ଷେ କଲେଜର ମେସ କାଉନସିଲ ଛାତ୍ରଛାତ୍ରୀଙ୍କ ନାମରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି। ପରିଷଦ କହିଛି ଯେ ଯଦି କୌଣସି ଛାତ୍ର କଲେଜର ପଲିସିି ଅନୁସରଣ ନ କରନ୍ତି ତେବେ ତାଙ୍କ ବିରୋଧରେ ୧୦,୦୦୦ ଟଙ୍କା ଜୋରିମାନା ଲାଗୁ କରାଯିବ। ଏଥିସହ ବିଶୃଙ୍ଖଳା କରୁଥିବା ସେହି ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।