Categories: ଜାତୀୟ

ଆଇଆଇଟି କାନପୁରରେ କୃତ୍ରିମ ବର୍ଷାର ଟେଷ୍ଟ ସଫଳ

କାନପୁର,୨୩।୬: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି-କାନପୁର (ଆଇଆଇଟି-କେ) ସଫଳତାର ସହ କ୍ଲାଉଡ ସିଡିଂ ପାଇଁ ଏକ ବିମାନର ସଫଳ ପରୀକ୍ଷଣ କରାଯାଇଛି। ଗୁରୁବାର ଆଇଆଇଟି-କେ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଅନୁଷ୍ଠାନ ଜୁନ ୨୧ରେ କ୍ଲାଉଡ ସିଡିଂ ପାଇଁ ଏକ ପରୀକ୍ଷଣ ଉଡ଼ାଣ କରିଥିଲା। ଏହି ପ୍ରକଳ୍ପ କିଛି ବର୍ଷ ପୂର୍ବେ ଆଇଆଇଟି କାନପୁରରେ ଆରମ୍ଭ ହୋଇଥିଲା ଏବଂ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଏହାର ନେତୃତ୍ୱ ନେଇଥିଲେ। ଏହି ପରୀକ୍ଷଣ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ)ଙ୍କ ଅନୁମୋଦନ କ୍ରମେ କରାଯାଇଥିଲା।

କ୍ଲାଉଡ ସିଡିଂରେ ବର୍ଷା ହେବାର ସମ୍ଭାବ୍ୟକୁ ଦୃଷ୍ଟିରେ ରଖି ବିଭିନ୍ନ ରାସାୟନିକ ଏଜେଣ୍ଟ ଯଥା ସିଲଭର ଆୟୋଡିଡ, ଶୁଖିଲା ବରଫ, ଲୁଣ ଏବଂ ଅନ୍ୟାନ୍ୟ ଉପାଦାନର ବ୍ୟବହାର କରାଯାଇଛି। ଗୁରୁବାର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଏହା ବିଷୟରେ କହିଛନ୍ତି, ଆମେ ଖୁସି ଯେ କ୍ଲାଉଡ ସିଡିଂ ପାଇଁ ଆମର ପରୀକ୍ଷା ସଫଳ ହୋଇଛି। ସଫଳ ପରୀକ୍ଷଣ ଉଡ଼ାଣର ଅର୍ଥ ହେଉଛି ଯେ, ବର୍ତ୍ତମାନ ପରବର୍ତ୍ତୀ ପର୍ଯ୍ୟାୟରେ କ୍ଲାଉଡ ସିଡିଂ କରିବା ଏବଂ ଏହାକୁ ସଫଳ କରିବା ପାଇଁ ଆମେ ପ୍ରସ୍ତୁତ।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଗତ କିଛି ବର୍ଷ ଧରି ଏହି ପ୍ରକଳ୍ପରେ କାର୍ଯ୍ୟ କରିଆସୁଛୁ। କୋଭିଡ ମହାମାରୀ ହେତୁ କ୍ରୟ ପ୍ରକ୍ରିୟା ବିଳମ୍ବ ହୋଇଥିଲା କିନ୍ତୁ ବର୍ତ୍ତମାନ ଡିଜିସିଏର ଅନୁମୋଦନ ଏବଂ ପ୍ରଥମ ପରୀକ୍ଷଣର ସଫଳ ସମାପ୍ତି ପରେ, ଆମେ ସେଟଅପ ସମାପ୍ତ କରିବାର ନିକଟରେ ଅଛୁ।

Share