Categories: ବାଣିଜ୍ୟ

ଶିଶୁଗୃହକୁ ସହାୟତା ଦେଲା ଇକୋରୋ

ଭୁବନେଶ୍ୱର,୧୭।୯: ରାଜ୍ୟର ପ୍ରମୁଖ ସାମାଜିକ ଅନୁଷ୍ଠାନ ଭାବେ ଜଣାଶୁଣା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ (ଇକୋରୋ) ପକ୍ଷରୁ ଦରିଦ୍ର ପିଲାମାନଙ୍କ ଆଶ୍ରୟସ୍ଥଳ ‘ଆଦୃତ’ର ଅନ୍ତେବାସୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଏପରିକି ଇକୋରୋର ସଭାପତି ଅନୁପମା ଶ୍ରୀବାସ୍ତବ ଶୁକ୍ରବାର ସ୍ଥାନୀୟ କଣ୍ଟାବାଡ଼ଠାରେ ଥିବା ‘ଆଦୃତ’ ପରିଦର୍ଶନରେ ଯାଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଆଶ୍ରିତ ପିଲାମାନଙ୍କ ଲାଗି ଉଦ୍ଦିଷ୍ଟ ଶିଶୁଗୃହ ପରିଦର୍ଶନକରି ଅନ୍ତେବାସୀଙ୍କ ସହ ସମୟ ଅତିବାହିତ ସାଙ୍ଗକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଇକୋରୋ ପକ୍ଷରୁ ଏକ ଆରେଞ୍ଜର କି-ବୋର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି କି-ବୋର୍ଡ ଅନ୍ତେବାସୀମାନଙ୍କୁ ସେମାନଙ୍କର ସଙ୍ଗୀତ ଅଭ୍ୟାସ ଏବଂ ପ୍ରଦର୍ଶନ ପାଇଁ ବେଶ୍‌ ସହାୟକ ହେବ ବୋଲି ଜଣାପଡିଛି। ଆଦୃତରେ ପ୍ରାୟ ୬୦ଜଣ ଅନ୍ତେବାସୀ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତେବାସୀଙ୍କ ସଂଗୀତ କ୍ଷେତ୍ରରେ ଅନ୍ତର୍ନିହିତ ଗୁଣ ରହିଛି। ଏହି ଅବସରରେ ରେଳପଥ ମହିଳା କଲ୍ୟାଣ ସଙ୍ଗଠନର ସମ୍ପାଦିକା ମନମିତା ମଣ୍ଡଳ ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେଙ୍କ ସହ ସଙ୍ଗଠନର ଅନ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ମଧ୍ୟ ପରିଦର୍ଶନରେ ଯାଇଥିଲେ।

Share