Categories: ଖେଳ

ଇଲାଭେନିଲଙ୍କୁ ସ୍ବର୍ଣ୍ଣ, ଶାହୁ ମାନେଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ୧୯ା୧୦ (ପି.ଟି.)-ଶେଖ୍‌ ରସେଲ ଇଣ୍ଟରନ୍ୟାଶନାଲ ଏୟାର ରାଇଫଲ ଚାମ୍ପିୟନଶିପ୍‌ ରବିବାର ଭର୍ଚୁଆଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ୱର ନମ୍ବର ଓ୍ବାନ୍‌ ଭାରତୀୟ ଇଲାଭେନିଲ ଭାଲାରିଭାନ୍‌ ଏକ ସ୍ବର୍ଣ୍ଣ ଜିତିଥିବାବେଳେ ଶାହୁ ତୁଷାର ମାନେ ଏକ ରୌପ୍ୟ ଜିତିଛନ୍ତି। ବାଂଲାଦେଶ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ବିଏସ୍‌ଏସ୍‌ଏଫ୍‌) ତରଫରୁ ଏହି ଚାମ୍ପିୟନଶିପ୍‌ର ଆୟୋଜନ କରାଯାଇଥିଲା। ଇଲାଭେନିଲ ସ୍ବର୍ଣ୍ଣ ବ୍ୟତୀତ ୧୦୦୦ ଆମେରିକୀୟ ଡଲାର ପାଇଥିବାବେଳେ ଶାହୁ ମାନେ ୭୦୦ ଡଲାର ପକେଟସ୍ଥ କରିଥିଲେ। ୬୦ ଶଟ୍‌ ପ୍ରତିଯୋଗିତାରେ ଭାରତ ଓ ଆୟୋଜକ ବାଂଲାଦେଶ ସମେତ ୬ଟି ଦେଶ ଅଂଶଗ୍ରହଣ କରିଥିଲେ। ଏଲାଭେନିଲ ୬୨୭.୫ ଶଟ୍‌ କରି ଶୀର୍ଷରେ ରହିଥିଲେ। ଶିଓରି ହିରାତା ୬୨୨.୬ ସହ ରୌପ୍ୟ ହାସଲ କରିଥିବାବେଳେ ଇଣ୍ଡୋନେସିଆର ବିଦ୍ୟା ତୋୟିବା ୬୨୧.୧ ସହ ବ୍ରୋଞ୍ଜ ପାଇଛନ୍ତି। ଜାପାନ କିନ୍ତୁ ପୁରୁଷ ଇଭେଣ୍ଟରେ ସ୍ବର୍ଣ୍ଣ ଲାଭ କରିଥିଲା। ଏହି ଦେଶର ନାଓୟା ଓକାଡା ୬୩୦.୯ ଶଟ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭାରତର ଶାହୁ (୬୨୩.୮)ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଆୟୋଜକ ଦେଶର ବାକି ଅବ୍‌ଦୁଲ୍ଲା ହେଲ୍‌ (୬୧୭.୩) ବ୍ରୋଞ୍ଜ ଜିତିଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ଦୁଇ ଦେଶ ହେଲେ କୋରିଆ ଓ ଭୁଟାନ।

Share